ଜାଣନ୍ତୁ କ୍ବାରେଣ୍ଟାଇନ ସମୟରେ କ’ଣ ଖାଇବେ ଓ କ’ଣ ଖାଇବେନି
କୋରୋନା ଭାଇରସ ଠାରୁ ରକ୍ଷା ପାଇବା ଲାଗି ସାରା ବିଶ୍ବର ଲୋକେ ଏବେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି। କିନ୍ତୁ ଘରେ ବନ୍ଦ ହୋଇ ରହିବା ଫଳରେ ଆମ ଲାଇଫଷ୍ଟାଇଲ ଓ ଶରୀର ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ଏପରିସ୍ଥଳେ ଆପଣ ଡାଏଟ ନ ବଦଳାଇଲେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିସ୍ଥଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଖାଦ୍ୟପେୟକୁ ନେଇ ଗାଇଡଲାଇନ ଜାରି କରିଛି। ଯାହାଫଳରେ ଘର ଭିତରେ ରହି ମଧ୍ୟ ନିଜକୁ ସୁସ୍ଥ ରଖିପାରିବେ। ଏହି ଡାଏଟ ପ୍ଲାନ ମଧ୍ୟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବ। ଚାଲନ୍ତୁ ଜାଣିବା କ୍ବାରେଣ୍ଟାଇନ ସମୟରେ କ’ଣ ଖାଇବେ ଓ କାହାଠାରୁ ଦୂରେଇ ରହିବେ।
କେମିତି ଖାଦ୍ୟପେୟ ହେବା ଉଚିତ
ଡବ୍ଲ୍ୟୁଏଚ୍ଓ ମୁତାବକ କ୍ବାରେଣ୍ଟାଇନ ସମୟରେ ପ୍ୟାକେଟ ବନ୍ଦ, ଡବା ବନ୍ଦ ଫୁଡ୍ସ, ଲୁଣ ଓ ଚିନି କମ୍ ମାତ୍ରାରେ ସେବନ କରିବା ଉଚିତ। ଘରେ ତିଆରି ପୁଷ୍ଟିକର ଓ ସ୍ବାସ୍ଥ୍ୟକର ଆହାର ସେବନ କରିବା ଉଚିତ। ଏଥିସହିତ ଅଧିକ ଚା କିମ୍ବା କଫି ସେବନ କରିବା ଅନୁଚିତ। ଏହାଫଳରେ ପେଟଜନିତ ସମସ୍ୟା ହୋଇପାରେ।
କ’ଣ ଖାଇବେ
ଡାଏଟରେ ଅଧିକ ମାତ୍ରାରେ ପନିପରିବା, ଫଳ, ଡାଲି, ଓଟ୍ସ, ବ୍ରାଉନ ପାସ୍ତା, ବ୍ରାଉନ ରାଇସ, କ୍ବିନୋଆ, ହୋଲ ହ୍ବିଟ ବ୍ରେଡ ଆଦି ଫାଇବର ଯୁକ୍ତ ଖାଦ୍ୟ ସେବନ କରନ୍ତୁ। ଏହା ସହଜରେ ହଜମ ହୋଇଥାଏ। ଏହାଦ୍ବାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ ଓ ଅମ୍ଳ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ହୋଇ ନ ଥାଏ। କ୍ବାରେଣ୍ଟାଇନ ସମୟରେ ଶରୀରକୁ ହାଇଡ୍ରେଟ ରଖିବା ଲାଗି ଦିନକୁ ୮ରୁ ୯ ଗ୍ଲାସ ପାଣି ପିଇବା ଉଚିତ। ଏଥି ସହିତ ଦିନରେ ୨ ଥର ଗ୍ରୀନ ଟି, ୧ ଗ୍ଲାସ ଲେମ୍ବୁ ପାଣି, ୧ ଗ୍ଲାସ ଜୁସ କିମ୍ବା ୧ ଗ୍ଲାସ କ୍ଷୀର ସେବନ କରନ୍ତୁ। ଆପଣ ଚାହିଲେ ପାଣିରେ ଖଟାଫଳ, କାକୁଡ଼ି, ପୁଦିନା, ଲାଭେଣ୍ଡର ଆଦି ମିଶାଇ ସେବନ କରିପାରିବେ। ଡବ୍ଲ୍ୟୁଏଚ୍ଓ ମୁତାବକ କ୍ବାରେଣ୍ଟାଇନ ସମୟରେ ମଦ ସେବନ କରିବା ଅନୁଚିତ। କାରଣ ଏହାଦ୍ବାରା କୋରୋନା ଭାଇରସ ସଂକ୍ରମଣ ଆଶଙ୍କା ବଢ଼ିପାରେ। ଖାଦ୍ୟରେ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ସେବନ କରନ୍ତୁ। ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଖାଇବା ପରେ ଗୁଡ଼ କିମ୍ବା ପାନମଧୁରୀ ସେବନ କରନ୍ତୁ। ଏହାଦ୍ବାରା ଖାଦ୍ୟ ସହଜରେ ହଜମ ହୋଇଥାଏ।
ଏହାଠାରୁ ଦୂରେଇ ରହନ୍ତୁ
ମଇଦା, ହ୍ବାଇଟ ପାସ୍ତା, ହ୍ବାଇଟ ରାଇସ, ହ୍ବାଇଟ ବ୍ରେଡ ଭଳି ରିଫାଇନଡ୍ ଖାଦ୍ୟ ସେବନରୁ ଦୂରେଇ ରହନ୍ତୁ। କଫି, ଚା, ସଫ୍ଟ ଡ୍ରିଙ୍କସ, ଏନର୍ଜି ଡ୍ରିଙ୍କ୍ସ କିମ୍ବା ସୁଗାର ଯୁକ୍ତ ଡ୍ରିଙ୍କ୍ସ ଠାରୁ ମଧ୍ୟ ଦୂରେଇ ରହନ୍ତୁ। ଅଧକ ଲୁଣ ସେବନ ଅନୁଚିତ। ଗୋଟିଏ ଦିନରେ ୫ ଗ୍ରାମରୁ କମ୍ ଲୁଣ ସେବନ କରିପାରିବେ। ଯଦି ମିଠା ଖାଇବାକୁ ଇଚ୍ଛା ହୁଏ, ତେବେ ମିଠା ଫଳ ଡେଜର୍ଟ, ମହୁ ସେବନ କରିବା ଉଚିତ। ରେଡ କିମ୍ବା ଫ୍ୟାଟ ମିଟ, ବଟର, ଫୁଲ ଫ୍ୟାଟ କ୍ଷୀର କିମ୍ବା ଅନ୍ୟ ଦୁଗ୍ଧଜାତୀୟ ଖାଦ୍ୟ, ପାମ ଅଏଲ, ନଡ଼ିଆ ତେଲର ବ୍ୟବହାର ମଧ୍ୟ କମ କରିବା ଉଚିତ।
ଖାଇବାର ଉପଯୁକ୍ତ ଉପାୟ
ଏଥିପାଇଁ ଖାଦ୍ୟ ରାନ୍ଧିବା ସମୟରେ ଏଭଳି ବିଧି ପ୍ରୟୋଗ କରିବା ଉଚିତ। ଯେଉଁଥିରେ କମ ଫ୍ୟାଟ ରହିବ। ଖାଦ୍ୟକୁ ବାମ୍ଫରେ ରୋଷେଇ କରନ୍ତୁ। ନିଆଁରେ ପୋଡ଼ି ଖାଆନ୍ତୁ। କମ୍ ତେଲରେ ଭାଜନ୍ତୁ। ଖାଦ୍ୟ ରାନ୍ଧିବା ପାଇଁ ଅଲିଭ ଅଏଲ, ସନଫ୍ଲାୱାର ତେଲ ବ୍ୟବହାର କରନ୍ତୁ।
ଖାଦ୍ୟ ରାନ୍ଧିବା ସମୟରେ ଫୁଡ ସେଫ୍ଟି ଟିପ୍ସ
ଖାଦ୍ୟ ରାନ୍ଧିବା ପୂର୍ବରୁ ହାତକୁ ଭଲଭାବେ ଧୁଅନ୍ତୁ। ବାସନ ଓ ରୋଷେଇ ଘର ନିୟମିତ ସଫା କରନ୍ତୁ। ଫ୍ରିଜରେ ମାଂସ, କଞ୍ଚା ଖାଦ୍ୟ ଓ ରନ୍ଧା ଯାଇଥିବା ଖାଦ୍ୟ ଅଲଗା ରଖନ୍ତୁ। ଡାଲି, ତରକାରୀ, ରାନ୍ଧିବା ପୂର୍ବରୁ ଭଲଭାବେ ସଫା କରନ୍ତୁ।


