ଜାତୀୟ କ୍ରୀଡ଼ାରେ ରାଜ୍ୟ ପାଇଁ ଗୌରବ ଆଣିଲା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ
ଯୋଡ଼ା/ବଡ଼ବିଲ, (ସମୀର କୁମାର ଦାସ):ଉତ୍ତରାଖଣ୍ଡ ଡେରାଡୁନରେ ଜାନୁଆରୀ ୨୮ରୁ ୧ ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିଥିବା ଜାତୀୟ କ୍ରୀଡ଼ାରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଟେଲର କ୍ରୀଡ଼ାବିତ। ଉସୁ ପ୍ରତିଯୋଗିତାରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରୁଥିବା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ବବଲୁ ମୁଣ୍ଡା (୪୮କେଜି ପୁରୁଷ) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମଞ୍ଜୁ ମୁଣ୍ଡା (୪୫ କେଜି ମହିଳା) ରୌପ୍ୟ ପଦକ ଜିତିଛନ୍ତି। ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଟେଲ କ୍ରୀଡ଼ାବିତଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡ଼ିଆରେ ପ୍ରଶଂସା କରିବା ସହ ଏହା ରାଜ୍ୟ ପାଇଁ ଗୌରବ ଆଣିଛି ବୋଲି କହିଛନ୍ତି। ଏହି ସଫଳତା ଅନ୍ୟ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଏହି ବିଜୟ ପାଇଁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଜୟ ରାଜ୍ୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଏବଂ ଏହି ସଫଳତା ଓଡ଼ିଶାର କ୍ରୀଡ଼ା ସଂସ୍କୃତିକୁ ଆହୁରି ଉଜ୍ଜ୍ୱଳମୟ କରିବ ବୋଲି ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଲ୍ଲେଖ କରିଛନ୍ତି।ଏହି ସଫଳତାରେ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଜାତୀୟ କ୍ରୀଡ଼ାରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତଙ୍କ ଏହି ବିଜୟ ସମଗ୍ର ରାଜ୍ୟ ପାଇଁ ବଡ଼ ଗୌରବର ବିଷୟ। ଏହି ସଫଳତାରେ ସେମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ପ୍ରତିଫଳିତ ହେଉଛି। ଗ୍ରାମୀଣ ଓ ଆଦିବାସୀ ପ୍ରତିଭାଙ୍କ ଚିହ୍ନଟ ଓ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନ ସବୁବେଳେ ପ୍ରତିଶ୍ରୁତିବଦ୍ଧ।”ଏଠାରେ ସୂଚନା ଯୋଗ୍ୟ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ, ୬୦ କ୍ରୀଡ଼ା ପ୍ରତିଭାଙ୍କୁ କ୍ରୀଡ଼ା ଓ ଶିକ୍ଷାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ସର୍ବୋତ୍କୃଷ୍ଟ ସୁବିଧା ଯୋଗାଇଦେଉଛି । ହଷ୍ଟେଲ ଅନ୍ତେବାସୀଙ୍କୁ ସିବିଏସଇ ପାଠ୍ୟକ୍ରମରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି।ଓଡ଼ିଶା ଷ୍ଟେଟ ଉସୁ ଆସୋସିଏସନ ସହ ଏକ ମଜଭୁତ ସହବନ୍ଧନ ପ୍ରତିଷ୍ଠା କରି କେନ୍ଦୁଝର ଜିଲ୍ଲାରେ ଉସୁ ଓ କିକବକ୍ସିଂକୁ ଆଗକୁ ନେବାରେ ଜିନ୍ଦଲ ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଫାଉଣ୍ଡେସନର ପ୍ରୋତ୍ସାହନରେ ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ବହୁ କ୍ରୀଡ଼ା ପ୍ରତିଭା ଜାତୀୟସ୍ତରର ପ୍ରତିଯୋଗିତା ସହ ରୁଷ୍, ଚାଇନା, ଇଣ୍ଡୋନେସିଆ, ବ୍ରୁନେଇ ଭଳି ଦେଶଗୁଡ଼ିକରେ ଆୟୋଜିତ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମେଡାଲ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ଉସୁ, କିକବକ୍ସିଂ, ହକି, କ୍ରିକେଟ, ତୀରନ୍ଦାଜୀ ଭଳି କ୍ରୀଡ଼ାକୁ ଫାଉଣ୍ଡେସନର ପ୍ରୋତ୍ସାହନ ୩୦ ହଜାରରୁ ଅଧିକ ଗ୍ରାମୀଣ ଓ ଆଦିବାସୀ କ୍ରୀଡ଼ାବିତଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି।