ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୨୦ ପାଳନ ସମ୍ପର୍କିତ ପ୍ରସ୍ତୁତି ବୈଠକ
ବାଲେଶ୍ୱର, :ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୨୦ ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳନର ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଟ୍ରାଫିକ୍ ନିୟମ ପାଳନ ପାଇଁ ଜନସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ଆୟୋଜିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ସଚେତନତା କାର୍ଯ୍ୟକ୍ରମରେ ସ୍କୁଲ, କଲେଜସ୍ତରୀୟ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ କହିଥିଲେ । ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବିକାଶ ଚୌଧୁରୀ ଏଥିରେ ଉପସ୍ଥିତ ରହି ଆସନ୍ତା ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷର ଶୀର୍ଷକ “ସୁରକ୍ଷିତ ରହନ୍ତୁ, ସୁଖୀ ରୁହନ୍ତୁ” ସଂପର୍କରେ ପ୍ରଚାର ସହ ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାନଗୁଡିକର ଫିସଟାଗ୍ ପାସ୍ କରିବାକୁ ପରାମର୍ଶ ଦିଆଯାଇଥିଲା । ତା ଛଡା ସଚେତନତା ସୃଷ୍ଟି ସକାଶେ ପ୍ରତ୍ୟେକ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଗୋଟିଏ ଲେଖାଏ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ କରିବାକୁ ସ୍ଥିର କରାଯାଇଛି । ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ପାଳନ ସମ୍ପର୍କିତ ସଚେତନତା ବାର୍ତା ସମ୍ବଳିତ ବ୍ୟାନର, ପୋଷ୍ଟର, ହୋର୍ଡ଼ିଂ ଆଦି ଲାଗାଇବା, ପ୍ରଚାରପତ୍ର ବଂଟନ, ସଡ଼କ ସୁରକ୍ଷା ରଥ ମାଧ୍ୟମରେ ଡାକବାଜି ଯନ୍ତ୍ରରେ ପ୍ରଚାର, ମିନି ମାରାଥନର ଆୟୋଜନ, ଓା୍ୱକାଥନ, ସାଇକେଲ ଓ ଅଟୋରିକସା ରାଲି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ଭିତିିକ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, ସ୍ଲୋଗାନ୍ ପ୍ରଭୃତି ପ୍ରତିଯୋଗିତା ଆୟୋଜନ,ଗାଡ଼ି ଚାଳକଙ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ, ଛାତ୍ରଛାତ୍ରୀ ଏବଂ ଅଟୋମୋବାଇଲ୍ସ ଡିଲରଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରାର ଆୟୋଜନ, ପୌରପାଳିକା କତୃପକ୍ଷଙ୍କ ସହାୟତାରେ ସହର ରାସ୍ତାରେ ବୁଲାଗାଈଗୋରୁ ଚଳପ୍ରଚଳ ନିୟନ୍ତ୍ରଣ କରିବା, ହେଲମେଟ୍, ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ନିଶାସକ୍ତ ଡ୍ରାଇଭରଙ୍କ ଯାଂଚଞ୍ଚ କରିବା ଆଦି କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବ ବୋଲି ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଏହି ବୈଠକରେ ସୂଚନା ଦିଆଯାଇଥିଲା । ଜିଲ୍ଲାରେ କେବେ ଦୁର୍ଘଟଣା ଘଟାଇ ନ ଥିବା ଯାନ ଚାଳକକୁ ପୁରସ୍କୃତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଅନୁରୂପ କାର୍ଯ୍ୟକ୍ରମ ନୀଳଗିରିରେ ମଧ୍ୟ ଆୟୋଜିତ ହେବ । ସ୍ଥାନୀୟ କେବଲ ଟିଭି, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଗୁଡିକରେ ଟିଭି ଯୋଗେ ସଚେତନତା ବାର୍ତା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ରାସ୍ତା ମରାମତି କିମ୍ବା ନିର୍ମାଣସ୍ଥଳୀ ଗୁଡିକରେ ଯଥେଷ୍ଟ ସୂଚନା, ନାଲି‘ିତା, ରେଡିୟମ ଟ୍ୟାପ୍ ପ୍ରଭୃତି ଲଗାଯିବାକୁ ଗୁରୁତ୍ୱ ଦିଆଯାଇଛି । ବିଶେଷ ଭାବେ ଯେଉଁଠି ରୋଡ ବ୍ରେକର ଲଗାଯାଇଛି ସେଠି ବ୍ଲିଙ୍କିଂ ଲାଇଟ ଲଗାଇଦେବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଜନସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପ୍ରତିଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ, ଏମଭିଆଇ ଶ୍ରୀ ବିଶ୍ୱଜିତ ଦାସ, ଜିଲ୍ଲାର ଅନ୍ୟତମ ପରିବହନ ସଂଘ ବିଟିସିସିର ସମ୍ପାଦକ ଶ୍ରୀ ନରେନ୍ଦ୍ର ବିହାରୀ ଦାସ, ସଡ଼କ ସୁରକ୍ଷା ସପ୍ତାହ ପରିଚାଳନା କମିଟିର ସଦସ୍ୟବୃନ୍ଦ, ଟ୍ରା‘ିକ୍ ପୋଲିସ ଅଧିକାରୀ ସୁଖରାମ ସୋରେନଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତା, ଲାୟନ୍ସ କ୍ଲବ, ରୋଟାରୀକ୍ଲବ ପ୍ରଭୃତିର କର୍ମକର୍ତାମାନେ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।