ଜାନୁଆରୀ ପହିଲାରେ ଇଛାପୁର ରଥଦାଣ୍ଡରେ ବିଶ୍ୱ ପ୍ରାର୍ଥନା ଦିବସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆସନ୍ତା ଜାନୁଆରୀମାସ ପହିଲା ସକାଳ ୮ଟାରେ ଇଛାପୁରସ୍ଥିତ ରଥଦାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରାର୍ଥନା ଦିବସରେ ଦଳ, ମତ, ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଯୋଗଦେବାକୁ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ସାରା ବିଶ୍ୱ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତିକରୁଥିବାରୁ ମଣିଷ ମନକୁ ଦୁଃଖ, ଦୈନ୍ୟ, ଭୟ, ଆତଙ୍କ, ଶଙ୍କା, ସନ୍ଦେହ, ଅବିଶ୍ୱାସ ଆଦି ଆଛାଦିତ କରି ରଖିଛି । ଶ୍ରଦ୍ଧା, ପ୍ରେମ, ଶାନ୍ତି, ଆନନ୍ଦ ଭଳି ଦିବ୍ୟ ଗୁଣ ଯେପରି ହଜି ଯାଇଛି । ଯେତେବେଳେ ବିପଦ ଆସେ ଆମେ ହତାଶ ହୋଇ ପଡୁ । ସେତେବେଳେ ବିପଦଭଞ୍ଜନ ସର୍ବମୟ କର୍ତ୍ତାଙ୍କୁ ଦୁଃଖ ଦୂର ପାଇଁ ପ୍ରାର୍ଥନା କରୁ । ପୂର୍ବକାଳରୁ ଏହା ପୂର୍ବ ପୁରୁଷମାନଙ୍କର ଉତ୍ତର ପିଢି ପାଇଁ ଥିଲା ମାର୍ଗଦର୍ଶନ ଓ ଉପଦେଶ । ଏହା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା । ସଂସାରର ଏହି ସମସ୍ୟାକୁ ଦେଖି ଆମର ପୂଜ୍ୟ ପ୍ରାତଃସ୍ମରଣୀୟ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ବହୁତ ବ୍ୟଥିତଓ ଚିନ୍ତିତ । ତେଣୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ମଣିଷ ମଣିଷ ମଧ୍ୟରେ ସ୍ନେହ, ପ୍ରେମ ଓ ସୈାହାର୍ଦ୍ଦ୍ୟ ଭାବ ପ୍ରତିଷ୍ଠା ପାଇଁ ଆମେ ସମସ୍ତେ ଏକାଠି ହୋଇ ଆସନ୍ତା ଜାନୁଆରୀ ପହିଲା ସକାଳ ୮ଟାରେ ଇଛାପୁର ରଥଦାଣ୍ଡରେ ଅନୁଷ୍ଠିତ ବିଶ୍ୱ ପ୍ରାର୍ଥନା ଦିବସରେ ବିଶ୍ୱ ନିୟନ୍ତାଙ୍କୁ ପ୍ରାର୍ଥନା କରିବା ନିମନ୍ତେ ଶ୍ରୀମା’ ନିବେଦନ କରିଛନ୍ତି ।