ଜାମିତିରାରେ ଅଗ୍ନିକାଣ୍ଡ, ୮ବଖରା ଘର ଜଳିଗଲା, ଜଣେ ଆହତ
ହାଟଡ଼ିହି : ଅଁରା ପଞ୍ଚାୟତର ଜାମିତିରା ଗ୍ରାମରେ ଅଗ୍ନିକାଣ୍ଡ ଗଟି ଦୁଇଟି ପରିବାରର ୮ବଖରା ଘର ଭଷ୍ମୀଭୂତ ହୋଇଯାଇଛି । ନିଆଁ ଲିଭାଇବାକୁ ଯାଇ ଗୃହକର୍ତ୍ତାଙ୍କ ୨୨ବର୍ଷୀୟ ପୁଅ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ନନ୍ଦ କିଶୋର ଲେଙ୍କାଙ୍କ ଘରେ ଲାଗିଥିବା ବଙ୍କା ପାଇପ ପାଖରୁ ହଠାତ ନିଆଁ ବାହାରି ଘରେ ନିଆଁ ଲାଗିଯାଇଥିଲା । ଘରର ଛୋଟ ଛୁଆମାନେ ଏହାଦେଖି ତୁରନ୍ତ ଡାକ ପକାଇବାରୁ ଓ ପାଖରେ ଚାଲିଥିବା ଏକ ଅଷ୍ଟପ୍ରହରୀ ନିକଟରୁ ମାଇକ ଯୋଗେ ଡାକ ପକାଇଦେବାରୁ ଶହଶହ ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ପରେ ହାଟଡିହିରୁ ଦୁଇଟି ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲେ । ଏହି ଅଗ୍ନିକାଣ୍ଡରେ ନନ୍ଦ କିଶୋର ଲେଙ୍କା, ପ୍ରକାଶ ଲେଙ୍କା, ଧନେଶ୍ୱର ଲେଙ୍କା, ପ୍ରତାପ ଲେଙ୍କାଙ୍କ ଘରସବୁ ପୋଡି ଯାଇଥିବାବେଳେ ଗୋଟିଏ ଲାପଟପ ସହିତ ଅନେକ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । କ୍ଷୟକ୍ଷତିର ପରିମାଣ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ପଡୋଶୀ ନାରାୟଣ ଲେଙ୍କାଙ୍କ ପରିବାର ପକ୍ଷରୁ ବିପନ୍ନ ପରିବାରକୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ।