ଜାମୁଗାଁ ପଂଚାୟତର ପୋଖରୀକୁ କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନକୁ ହସ୍ତାନ୍ତର ନ କରିବା ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତର ବାଲିଆ ପୋଖରୀ ଓ ପଶ୍ଚିମ ପାଶ୍ୱର୍ ପୋଖରୀକୁ ନିଲାମ ନ ଦେବା ପାଇଁ ପଂଚାୟତର ଗ୍ରାମ୍ୟ କମିଟିର ସଦସ୍ୟ,ମହିଳା ସ୍ୱୟଂ ସହାୟୀକା ଦଳ ଓ ଗ୍ରାମବାସୀ ବିଡିଓ ତପନ ମହାପାତ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ପୋଖରୀକୁ ପ୍ରଶାସନ ପକ୍ଷରୁ କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନକୁ ନିଲାମ ଭାବରେ ପ୍ରଦାନ କରିବାକୁ ସ୍ଥିର କରାଯାଇଛି । ଏହି ପୋଖରୀ ୨ଟି ରେ ଜାମୁଗାଁ ପଂଚାୟତର ଆବାଳ ବୃଦ୍ଧ ବନିତା ଶୌଚ ହେବା ସହ ଗାଧୁଆ ପାଧୁଆ କରିଥାନ୍ତି । ସେହିପରି ଗୋପାଳକମାନେ ଉକ୍ତ ପୋଖରୀ ପାଣିକୁ ବ୍ୟବହାର କରି ଗାଈ, ମଈଷି ଆଦି ଗାଧୁଆ ପାଧୁଆ କରିଥାନ୍ତି । କୌଣସି ସଙ୍ଗଠନ କିମ୍ବା ବ୍ୟକ୍ତି ବିଶେଷ ଉକ୍ତ ପୋଖରୀକୁ ଲିଜ ସୂତ୍ରରେ ନେଲେ ଗୋପାଳକ ଓ ଗ୍ରାମବାସୀମାନେ ଚଳପ୍ରଚଳ କରିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବେ । ଲିଜ୍ ନେବା ପରେ ଯଦି ଚଳପ୍ରଚଳ କରନ୍ତି ତେବେ ଲିଜଧାରୀ ଓ ପୋଖରୀ ପାଣିକୁ ବ୍ୟବହାରକାରୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ । ଏପରିକି ବିଭିନ୍ନ ଅପ୍ରତିକର ପରିସ୍ଥିତ ହେବାର ସମ୍ଭାବନା ମଧ୍ୟ ରହିଛି । ଯଦି ଉକ୍ତ ବିଷୟକୁ ଅନୁଧ୍ୟାନ ନ କରି ଉକ୍ତ ୨ ପୋଖରୀ ନିଲାମ ପ୍ରଦାନ କରାଯାଏ ତେବେ ଗ୍ରାମରେ ଯେକୌଣସି ଅପ୍ରିତିକର ପରିସ୍ଥିତ ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ରରେ ଗ୍ରାମ୍ୟ କମିଟିର ସଂପାଦକ ହୃଦାନନ୍ଦ ସ୍ୱାଇଁ, ସଭାପତି ସର୍ବେଶ୍ୱର ମହାରଣା, ନଳିନୀକାନ୍ତ ସ୍ୱାଇଁ, ପ୍ରତାପ ଚରଣ ମହାରଣାଙ୍କ ସମେତ ସ୍ୱୟଂ ସହାୟୀକା ଦଳର ସଦସ୍ୟ ଓ ଗ୍ରାମବାସୀ ସ୍ୱାକ୍ଷର କରିଛନ୍ତି । ଉକ୍ତ ବିଷୟରେ ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରୁ ପୋଖରୀ ଉପରେ ଅନୁଧ୍ୟାନ କରାଯାଇ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।