ଜାଲ ପ୍ରମାଣପତ୍ରରେ ଶିକ୍ଷକ ଚାକିରୀ କେବେ ହବ କାର୍ଯ୍ୟାନୁଷ୍ଠାନ

ପୁରୀ,(ୱାଏନଏସ): ରାଜ୍ୟର ଅନେକ ବ୍ଲକରେ ଜାଲ ପ୍ରମାଣ ପତ୍ର ଦେଇ ଚଞ୍ଚକତା କରି କେତେକ ବ୍ୟକ୍ତି ଶିକ୍ଷକ ଚାକିରୀ ହାତେଇଛନ୍ତି । ପରବର୍ତ୍ତୀ ସମୟରେ ସେମାନେ ଧରାପଡ଼ିବା ପରେ ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହେଲେ ବିଡ଼ମ୍ବନାର ବିଷୟ ପୁରୀ ଜିଲ୍ଲା କଣାସ ବ୍ଲକ୍ ଖଣ୍ଡହତା ପଞ୍ଚାୟତ ତିଗିରିଆ ଗ୍ରାମରେ ଥିବା ବଡ଼ କାଳୁଚରଣ ହାଇ ସ୍କୁଲରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୁଇ ଦୁଇଥର ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ପାଇବା ପରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନୀରବ ରହିଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ବିଜିପୁର ଗ୍ରାମର ପ୍ରସନ୍ନ କୁମାର ଜେନା ସୂଚନା ଅଧିକାର ଆଇନ ବଳରେ ତିଗିରିଆ ବଡ଼କାଳୁ ଚରଣ ହାଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତରଞ୍ଜନ ପ୍ରଧାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ମାଗିଥିଲେ । ଉକ୍ତ ପ୍ରମାଣପତ୍ର ମଧ୍ୟରୁ ପିପିଲି କଲେଜରୁ ପାସ୍ କରିଥିବା ବି.ଏ ସାର୍ଟିଫିକେଟ ସନ୍ଧେହ ହେବାରୁ ପିପିଲି କଲେଜକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ଉକ୍ତ କଲେଜ ସେଭଳି କେହି ପିଲା ତାଙ୍କ କଲେଜରେ ପାଠ ପଢିନଥିବା ସୂଚନା ଦେଇଥିଲେ ।ଏନେଇ ଶ୍ରୀ ଜେନା ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ୍ ଏଡିଜି କଟକ ତାଙ୍କ ପତ୍ର ସଂଖ୍ୟା ୬୭୮୦/ସିବି-ପିଟି ତା ୧୨/୦୬/୨୦୨୪ ରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୪୭୬୬ ତା ୨୧/୦୬/୨୦୨୪ରେ କଣାସ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କଣାସ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୧୧୬୩ ତା ୨୫/୦୭/୨୦୨୪ ରେ ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ସେଥିର ଉଲ୍ଲେଖ ଥିଲା ଉକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଜଣାଇଛନ୍ତି ପ୍ରଧାନ ଶିକ୍ଷକ ପିପିଲି କଲେଜରୁ ବି.ଏ ପାସ୍ କରିନାହାନ୍ତି ।ପ୍ରକୃତରେ ସେ ମାଡ୍ରାସ ବିଶ୍ଵବିଦ୍ୟାଳୟରୁ ୨୦୧୧ ମସିହାରେ ବି.ଏ ପାସ କରିଛନ୍ତି ।ଯାହାର ରୋଲ୍ ନମ୍ବର ୟୁଏନଓଏମ- ୫୬୪୨୧୧ ରେଜିଷ୍ଟ୍ରେସନ୍ ନମ୍ବର ଏମୟୁବିଏ -୫୭୮୬୪୩୩୪୭୬ ଅଟେ ।ଶ୍ରୀ ଜେନା ପୁନଃଶ୍ଚ ମାଡ୍ରାସ ବିଶ୍ଵବିଦୟାଳୟକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ।ମାଡ୍ରାସ ବିଶ୍ଵିଦ୍ୟାଳୟ କର୍ତ୍ତୃପକ୍ଷ ଏହି ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବରରେ ଚିତ୍ତରଞ୍ଜନ ପ୍ରଧାନ ନାମରେ ୨୦୧୧ ମସିହାରେ କେହି ବି.ଏ ପାସ୍ କରିନାହାନ୍ତି ବୋଲି ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି, ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଦୁଇଟି ଯାକ ବି.ଏ ସାର୍ଟିଫିକେଟ ନକଲି ବୋଲି । ସୂଚନା ଅଧିକାର କର୍ମୀ ପ୍ରସନ୍ନ କୁମାର ଜେନା ଏନେଇ ପୁଣିଥରେ କ୍ରାଇମବ୍ରାଞ୍ଚ୍ କଟକ, ପୁରୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଅଧିକାରୀ, ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ