ଜାହାଜ ଚଳାଚଳ କ୍ଷେତ୍ରରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି
ଭାରତ ଓ ମାଳଦ୍ୱୀପ ମଧ୍ୟରେ ସାମୁଦ୍ରିକ ପଥରେ ଯାତ୍ରୀ ଓ ମାଲ ପରିବହନ ନେଇ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଭାରତର ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ଗସ୍ତ ସମୟରେ ଏହି ବୁଝାମଣା ପତ୍ର ଜୁନ ୮, ୨୦୧୯ରେ ସ୍ୱାକ୍ଷରିତ ହୋଇଥିଲା ।
ଭାରତ ହେଉଛି ମାଳଦ୍ୱୀପ ସହିତ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଅଂଶୀଦାର । ଭାରତ ମାଳଦ୍ୱୀପରେ ଅନେକ ଅଗ୍ରଣୀ ଅନୁଷ୍ଠାନ ପ୍ରତିଷ୍ଠା କରିଛି । ସମ୍ପ୍ରତି ଭାରତ ମାଳଦ୍ୱୀପକୁ ୧୦୦ ମିଲିଅନ ଆମେରିକୀୟ ଡଲାରର ଷ୍ଟାଣ୍ଡବାଏ ଋଣ ପ୍ରଦାନ କରିଛି । ଏଥିରେ ରହିଛି ଦୀର୍ଘକାଳୀନ ଋଣ ଏବଂ ବାଣିଜ୍ୟ ମାଧ୍ୟମରେ ଋଣ ପରିଶୋଧ ।
ମାଲେ ହେଉଛି ମାଳଦ୍ୱୀପର ରାଜଧାନୀ ଓ ଏହି ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର । କୁଲହୁଧୁଫୁସି ହେଉଛି ମାଳଦ୍ୱୀପର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର । କୋଚିରୁ ଏହି ଦୁଇ ସହରକୁ ସାମୁଦ୍ରିକ ପଥରେ ଉଭୟ ଯାତ୍ରୀ ଏବଂ ମାଲ ପରିବହନ ବ୍ୟବସ୍ଥା ଭବିଷ୍ୟତ ପାଇଁ ଉତମ । କୋଚିଠାରୁ ମାଲେର ଦୂରତ୍ୱ ହେଉଛି ୭୦୮ କିଲୋମିଟର ଏବଂ କୁଲହୁଧୁଫୁସିର ଦୂରତା ହେଉଛି ୫୦୯ କିଲୋମିଟର । କୁଲହୁଧୁଫୁସି ଓ ଏହା ଚାରିପାଖରେ ରହିଥିବା ଦ୍ୱୀପପୁଞ୍ଜ ଗୁଡିକ ହେଉଛନ୍ତି ମାଳଦ୍ୱୀପର ଉତର ଭାଗରେ ଥିବା ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ର । ଏଠାରେ ଅନେକ ରିସୋର୍ଟ ରହିଥିବାରୁ ଏହା ଭାରତୀୟ ମାନଙ୍କ ପାଇଁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇପାରିବ । ବର୍ତମାନ ମାଲେକୁ ଆକାଶ ମାର୍ଗରେ ଏବଂ ରିସୋର୍ଟମାନଙ୍କୁ ସି ପ୍ଲେନ ମାଧ୍ୟମରେ ଯାତାୟତ ବ୍ୟବସ୍ଥା ରହିଛି । ଏହା ବ୍ୟୟବହୁଳ । ଅନ୍ୟପକ୍ଷରେ ସାମୁଦ୍ରିକ ଯାତ୍ରା ମାଧ୍ୟମରେ କୋଚି ସହିତ ସଂଯୋଗ ବ୍ୟବସ୍ଥା ସାମୁଦ୍ରିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଭାରତୀୟ ପର୍ଯ୍ୟଟକ ମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏହା ଉପଯୋଗୀ ହେବ । ମାଳଦ୍ୱୀପର ଅନେକ ଅଧିବାସୀ ମଧ୍ୟ ଶିକ୍ଷା ଉଦ୍ଦେଶ୍ୟରେ କେରଳ ଓ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ସହରକୁ ଯାତ୍ରା କରିଥାନ୍ତି ।
ଉଭୟ ଦେଶ ମଧ୍ୟରେ ସମୁଦ୍ର ପଥରେ ଯାତ୍ରୀ ଓ ମାଲ ପରିବହନ ସମ୍ଭାବନାର ଲାଭ ଉଠାଇବା ପାଇଁ ମାଳଦ୍ୱୀପ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି । ଦ୍ୱିପାକ୍ଷିକ ବ୍ୟବସାୟ ତଥା ଜନ ସମ୍ପର୍କ ବୃଦ୍ଧି କରିବା ନେଇ ଏହି ପ୍ରସ୍ତାବିତ ସାମୁଦ୍ରିକ ପଥରେ ଯାତାୟତ ସେବା ଅନେକ ଭାବେ ସହାୟକ ହେବ ।


