ଜିଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା-ତାଲିମ ଶିବିର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ବିଦ୍ୟାଳୟସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିିବିର ସ୍ଥାନୀୟ ଅଙ୍ଗାରଗଡିଆ ସ୍ଥିତ ସତ୍ୟସାଇ ବିଦ୍ୟାମନ୍ଦିର ପରିସରରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ ପୂର୍ବକ ଶିବିରକୁ ଉଦ୍‌ଘାଟନ କରିଥିଲେ । ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଶୃଙ୍ଖଳିତ ଜୀବନଚର୍ଯ୍ୟା ସାଙ୍ଗକୁ ଶିକ୍ଷାକୁ ବାସ୍ତବ ଜୀବନରେ ପ୍ରୟୋଗ ପାଇଁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ସେବା ଓ ବନ୍ଧୁତା କ୍ଷେତ୍ରରେ ରେଡକ୍ରସ ସଂଗଠନର ଅନ୍ତରାଷ୍ଟ୍ରୀୟ ଚିନ୍ତାଧାରା ସହ ଛାତ୍ରଛାତ୍ରୀଙ୍କୁ ଜଡ଼ିତ କରିବାରେ ଏହା ଏକ ସୁଯୋଗ ସୃଷ୍ଟି ହୋଇଛି ବୋଲି ଜିଲାପାଳ କହିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର ଏଥିରେ ସଭାପତିତ୍ୱ କରିବା ସହିତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ପ୍ରବନ୍ଧ, ବକୃତା, ନୃତ୍ୟ ଓ ସଙ୍ଗୀତ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଆୟୋଜନ ସହ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ, ଫାୟାର ଫାଇଟିଂ, ସମାଜସେବା, ପ୍ରାଥମିକ ଚିକିତ୍ସା ପ୍ରଭୃତି ଉପରେ ତାଲିମ ପ୍ରଦାନ ହେବ ବୋଲି ସେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରାଚୀ ତନୟା ଗିରି, ଜୁନିଅର ରେଡକ୍ରସ ଜିଲ୍ଲା ଅଧିକାରୀ ତଥା ନୀଳଗିରି ବ୍ଲକ ଶିକ୍ଷାଧିକାରୀ ସ୍ନିଗ୍ଧା ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରି ଭୂୟାଁ ପ୍ରମୁଖ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶରେ ରେଡ଼କ୍ରସ ଶିକ୍ଷା ଓ ତାଲିମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟିର ଯୁଗ୍ମ ସମ୍ପାଦକ ବାମନ ଚନ୍ଦ୍ର ମହାନ୍ତି ଏଥିରେ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅଶୋକ କୁମାର ନାୟକ ବିବରଣୀ ପାଠ କରିଥିଲେ । ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ଦାମୋଦର ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦୁଇ ଦିନିଆ ଶବିରରେ ଜିଲାର ୧୩୦ ଗୋଟି ବିଦ୍ୟାଳୟରୁ ୩୭୨ ଜଣ ଶିବିରାର୍ଥୀ ଅଂଶଗ୍ରହଣ କରିଛନ୍ତି । ତନ୍ମଧ୍ୟରେ ୧୮୦ ବାଳକ , ୧୧୨ବାଳିକା ଓ ୮୦ କାଉନସିଲର ରହିଛନ୍ତି । ଉମାକାନ୍ତ ବେହେରା, ଚିତ୍ତରଂଜନ ପରିଡ଼ା, ସୋମନାଥ ନାୟକ, ସତ୍ୟନାରାୟଣ ଦାସ, ନରୋତ୍ତମ ପୁଟି, ସୁଧାଂଶୁ ଶେଖର ମଲ୍ଲିକ, ସତ୍ୟବ୍ରତ ପାତ୍ର, ମଳୟ କୁମାର ସାହୁ ପ୍ରମୁଖ ସାଧନକର୍ମୀ ଏହି ଶିବିର ପରିଚାଳନା କରୁଛନ୍ତି । ଜିଲ୍ଲାର ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ