ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଏସଏଚଜି ମହିଳା
ବାଲେଶ୍ୱର, (ସରୋଜ ପଣ୍ଡା) :ଜନବସତି ଅଞ୍ଚଳରେ ସରକାରୀ ଠିପିଖୋଲା ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ସୋମବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର କର୍ମକର୍ତ୍ତାଙ୍କ ସହ ମହିଳାମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ମଦଦୋକାନ ଖୋଲିବା ନିଷ୍ପତ୍ତିର ପୁର୍ବିଚାର ପାଇଁ ଦାବି କରିଛନ୍ତି । ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ବସନ୍ତପୁର ମୌଜାର ୨୮୬/୧୬୨ ନଂ ଖାତା ଓ ୮୧୮/୯୩୮ ଖସଡ଼ାରେ ଜିଲା ଅବକାରୀ ବିଭାଗ ତଥା ପ୍ରଶାସନ ପକ୍ଷରୁ ଠିପିଖୋଲା ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ମହିଳାମାନେ ସୂଚନା ଦେଇଛନ୍ତି । ତେବେ ଅମର୍ଦ୍ଦାରୋଡ଼ ରେଳଷ୍ଟେସନ ରାସ୍ତାରେ ଅବସ୍ଥିତ ଏହି ସ୍ଥାନଟି ବରୁଣଗଡ଼ିଆ, କୁଳିଦା ଓ ନଟାକଟା ପଞ୍ଚାୟତର ମଧ୍ୟମ ସ୍ଥଳ ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ଲୋକେ ଏଠାକୁ ଆସିଥା’ନ୍ତି । ଏଠାରେ ବସଷ୍ଟାଣ୍ଡ ରହିଥିବା ବେଳେ ଦୈନିକ ଶହ ଶହ ଲୋକେ ଜିଲ୍ଲା ତଥା ଜିଲା ବାହାରକୁ ବସ ଯୋଗେ ଯା’ଆସ କରନ୍ତି । ନିକଟରେ ସିଦ୍ଧେଶ୍ୱର କଲେଜ, ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ, ସିଦ୍ଧେଶ୍ୱର ଫାର୍ମାସି କଲେଜ, ସିଦ୍ଧେଶ୍ୱର ଆଇଟିଆଇ ସମେତ ବହୁ ଶିକ୍ଷାନୁ୍ଷ୍ଠାନ ଓ ଦେବଦେବୀ ମନ୍ଦିର ମଧ୍ୟ ରହିଛି । ଏହା ବ୍ୟତୀତ ଅମର୍ଦ୍ଦାରୋଡ଼ ଡାକ୍ତରଖାନାକୁ ଏହି ରାସ୍ତାଦେଇ ଲୋକେ ଯାତାୟାତ କରନ୍ତି । ଏଠାରୁ ମାତ୍ର ୫୦ ମିଟର ଦୂରରେ ବଜାର ରହିଥିବା ବେଳେ ଲୋକେ ଏହି ରାସ୍ତା ଦେଇ ବଜାରକୁ ଯାଆନ୍ତି । ଏଠାରେ ଠିପିଖୋଲା ମଦଦୋକାନ ଖୋଲିଲେ ଲୋକେ ବେଫିକର ହୋଇ ମଦ ପିଇ ରାସ୍ତାରେ ଗଡ଼ିବେ । ଏ ଅଞ୍ଚଳରେ ଶାନ୍ତି ନଷ୍ଟ ହେବା ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ବଢ଼ିବା ନେଇ ମହିଳାମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଅତଏବେ ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଠିପିଖୋଲା ମଦଦୋକାନ ଏଠାରେ ସମ୍ପୂର୍ଣ୍ଣ ବନ୍ଦ କରାଯାଉ କିମ୍ବା ଏହାକୁ ଅନ୍ୟତ୍ର ଦୂର ତଥା ଖୋଲାସ୍ଥାନକୁ ସ୍ଥାନାନ୍ତର ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ବିଭିନ୍ନ ସୟଂ ସହାୟକ ଗୋଷ୍ଠୀରୁ ଅଞ୍ଜନା ବେହେରା, ସୁବାସିନୀ ବେହେରା, ମମତା ବେହେରା, ରୀତାଞ୍ଜଳି ବେହେରା, ସୁଷମା ଗାଆଣ, ସୁଚିତ୍ରା ବେହେରାଙ୍କ ସମେତ ମୋନାର ସଭାପତି ପ୍ରଭାକର ସାହୁ, ସମ୍ପାଦିକା ମମତା ମହାପାତ୍ର, ଉପ-ସଭାପତି କୁମୁଦ ରଞ୍ଜନ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।