ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ହେଲା ବିଶ୍ୱର ବୃହତ ଗଣତନ୍ତ୍ର ରାଷ୍ଟ୍ରର ସମ୍ବିଧାନର ନିର୍ମାତା ବାବା ସାହେବ ଡଃ.ଭୀମରାଓ ଆମ୍ବେଦକର ଓ ସମ୍ବିଧାନ ପ୍ରସ୍ତୁତରେ ଅଂଶ ଗ୍ରହଣ କରିଥିବା ସମସ୍ତ ବିଜ୍ଞ ମଣ୍ଡଳିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା । ଚଳିତ ବର୍ଷ ସମ୍ବିଧାନ ପ୍ରସ୍ତୁତିର ୭୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାରତ ବର୍ଷ ଓ ତା’ର ସମ୍ବିଧାନ ସମ୍ପର୍କରେ ଆଲୋଚନା କରିବା । ସମ୍ବିଧାନ ଅନୁଯାଇ ନୈତିକ ଅଧିକାର ପରି ନୈତିକ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିବା । ଏହି ଦିବସ ପାଳନ ୨୬ନଭେମ୍ବର ୨୦୧୯ରୁ ୧୧ ଅପ୍ରେଲ ୨୦୨୦ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ବାର୍ଷିକ ପର୍ଯ୍ୟନ୍ତ ପାଳନ କରାଯିବ । ଯାହା ସମରାଷ୍ଟ୍ର ଦିବସ ଭାବେ ପାଳିତ ହେବ । ଜନସାଧାରଣ ସମ୍ବିଧାନ ମୁତାବକ ନିଜର ରାଷ୍ଟ୍ର ପ୍ରତି ଗୁରୁ ଦାୟିତ୍ୱ ସମ୍ପାଦନ କରିବା ଏହାର ଅନ୍ୟତମ ଲକ୍ଷ୍ୟ ଓ ଉଦେଶ୍ୟ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ ଓ ସମ୍ବିଧାନ ମୁତାବକ କାର୍ଯ୍ୟ କରି ଏକ ଶ୍ରେଷ୍ଠ ଭାରତ ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ସହକାରୀ ଜିଲ୍ଲାପାଳ ଅଙ୍କିତା ଆନନ୍ଦିତା,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ।