ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର୧୪୭ ଅଭିଯୋଗ , ୬ ସମାଧାନ

ନାଉଗାଁ : ନାଉଗାଁ ବ୍ଳକ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ ଶୁଣାଣି ଶିବିରରେ ପ୍ରଥମ ଥର କରି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । କାରଣ ଅନେକ ଅଭିଯୋଗ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଜନ ଶୁଣାଣିରେ ବନ ବିଭାଗର କୁଜଙ୍ଗ ବନଖଣ୍ଡର ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ତାଙ୍କର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆବାସ ଯୋଜନା,ଏମଜିଏନଆରଜିଏସ ଆଦି ଯୋଜନାରେ କାର୍ଯ୍ୟ ହେଉଥିବା ବିଭିନ୍ନ ବ୍ୟକ୍ତିଙ୍କର ବିଲ ୨ ଦିନ ମଧ୍ୟରେ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନ ଶୁଣାଣିରେ ନାଉଗାଁ ସଚେତନ ନାଗରିକ ମଂଚ ପକ୍ଷରୁ ରବିନ୍ଦ୍ର ପଟ୍ଟନାୟକ, ଅର୍ଜ୍ଜୁନ ଚରଣ ରାଉତ,ବସନ୍ତ ମହାନ୍ତି ଆଦି ଅଧା ଥିବା ବସଷ୍ଟାଣ୍ଡର କାର୍ଯ୍ୟ ପୁରଣ କରିବା, ଆମ ପୋଲିସ ବୈଠକ କରିବା, ନାଉଗାଁ ବଜାର ଠାରୁ ଅଲଣାହାଟ ପର୍ଯ୍ୟନ୍ତ ଉଜ୍ଜଳ ଆଲୋକ ବ୍ୟବସ୍ଥା କରିବା, ବ୍ଳକରେ ଖାଲିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୁରଣ କରିବା ଆଦି ଅଭିଯୋଗ କରିଥିଲେ । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସରକାରୀ ପଂଜିକୃତ ସାର ଦୋକାନରେ ସାରର ସଠିକ ମୂଲ୍ୟ ମାନଦଣ୍ଡ ଆଦିର ବ୍ୟବହାର କରାଯିବା ସହିତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇବାକୁ ଅଶୋକ ସ୍ୱାଇଁ, ଦିଲ୍ଲିପ ପାଢୀ ଆଦି ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କୁ ଯଥା ଶୀଘ୍ର ଡିଲର ମାନଙ୍କୁ ଏବିଷୟରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସାର ବିକ୍ରି କରୁଥିବା ଡିଲର ପଂଏଟକୁ ଜିଲ୍ଲାପାଳ ନିଜେ ପରିଦର୍ଶନରେ ଆସିବା ପାଇଁ ମଧ୍ୟ କହିଥିଲେ । ସେହିପରି ନାଉଗାଁ ପ୍ରେସ କ୍ଲବ ତରଫରୁ ଜନ ଶୁଣାଣି ପାଇଁ ସଠିକ ପ୍ରଚାର ପ୍ରସାର, ଅଭିଯୋଗକାରୀଙ୍କୁ ଡାଇରୀ ନମ୍ବର ପ୍ରଦାନ କରିବା ଇତ୍ୟାଦି ଉପରେ ଅଭିଯୋଗ କରିଥିଲେ । ରେଣୁକା ସ୍ୱାଇଁଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ମୁଣ୍ଡାଳ-ବେଣାପଡା ରାସ୍ତା ମରାମତି ପାଇଁ ପ୍ରଦୋଶ ମହାନ୍ତି ଅଭିଯୋଗ କରିଥିଲେ । ଜାମୁଗାଁ ପଂଚାୟତରେ ଗୋଚର ଜମି ଜବରଦଖଲ,ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜାମୁଗାଁ ସରପଂଚ ଲଲାଟେନ୍ଦୁ ପରିଡା ଅଭିଯୋଗ କରିଥିଲେ । ଘୋଡାଂଶ ପଂଚାୟତର ଚତୁର୍ଭଜ ମହାନ୍ତି ୨୦୧୪ ମସିହାରୁ ଜମି ଦାଖଲ ଖାରଜ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ପାଇଁ ଜିଲ୍ଲାପାଳ ନିଜେ ତହସିଲ କାର୍ଯ୍ୟାଳୟ ଯାଇ ତଦନ୍ତ କରିଥିଲେ । ସେହିପରି ଗଜରାଜପୁରସ୍ଥିତ ଗୋପାଳ ଜିୟୁ ଉ.ପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କର ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଭିଯୋଗ କରିଥିଲେ । ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସହିତ ବିଦ୍ୟାଳୟରେ ଆର୍ଥିକ ସହିତ ମଧ୍ୟାହ୍ନ ଭୋଜନରେ ଅନିୟମିତତା,ଦାୟିତ୍ୱରେ ଥିବା ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କର ଅନ୍ୟତ୍ର ଡେପୁଟସନରେ ଯାଇଥିବା ବେଳେ ତାଙ୍କ ବଦଳରେ ଆସିଥିବା ଶିକ୍ଷକ ନିଯୁକ୍ତି ହେବାର ମାସକ ପରେ ପୂର୍ଣ୍ଣବାର ଫେରିଯିବାର କାରଣକୁ ତଦାରଖ ପାଇଁ ବଂଶୀଧର ବେହେରା ଜିଲ୍ଲାପାଳଙ୍କୁ ଅଭିଯାଗ କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ସର୍ବମୋଟ ୧୪୭ଟି ଅଭିଯେଗା ଆସିଥିବା ବେଳେ ବ୍ୟକ୍ତିଗତ ଭାବେ ୧୨୨ ମଧ୍ୟରୁ ଆବାସ ୫୦, ଭତା ୧୬, ପିଡିଏସ ୨୧, ଆଇନ ସହାୟତା ୭, ଜମିଜମା ୧୨, ଅନ୍ୟାନ୍ୟ ୧୬ଟି ଅଭିଯୋଗ ଆସି ଥିବା ବେଳେ ଗ୍ରାମ୍ୟ ସମ୍ବନ୍ଧୀୟ ୧୯, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ-୧, ରେଡକ୍ରସ ୫ ରହିଥିଲା । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ପ୍ରକଳ୍ପ ଅଧିକାରୀ କୃଷ୍ଣଚନ୍ଦ୍ର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ର, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ଜିଲ୍ଲା ଅଭିଯୋଗ ଅଧିକାରୀ ରଂଜନ ଦାସ,ପ୍ରଦୀପ୍ତ ବାରିକ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ । ସେଥିମଧ୍ୟରୁ ୬ଟି ଅଭିଯୋଗ ସମାଧାନ ହୋଇଥିଲା । ଅନ୍ୟ ଅଭିଯୋଗ ଗୁଡିକ ଶୀଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନ ଶୁଣାଣି ପରେ ଜିଲ୍ଲାପାଳ ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାଗଜପତ୍ର ତନଖି କରିବା ସହିତ ଫନୀରେ କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ