ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଭରତପୁର ପଂଚାୟତ ପରିଦର୍ଶନ
କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): ଜିଲ୍ଲାପାଳ ଅମ୍ରିତ ଋତୁରାଜ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତକୁ ପରିଦର୍ଶନରେ ଆସି ପ୍ରଥମେ ପଂଚାୟତ କାର୍ଯ୍ୟାଳୟରେ ପହଁଚିବା ପରେ ସେଠାରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପଂଚାୟତର ଆୟ ବ୍ୟୟ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ବିଷଦ ଭାବରେ ସମୀକ୍ଷା କରିଥିଲେ । ସରପଂଚଙ୍କ ପ୍ରଚେଷ୍ଠାରେ ପଂଚାୟତର ଆୟ ବୃଦ୍ଧି ପାଇଥିବାରୁ ସରପଂଚଙ୍କୁ ଜିଲ୍ଲାପାଳ ଭୂୟସି ପ୍ରସଂଶା କରିଥିଲେ । ପରେ ଫୋରପୋଲ ଛକ ବଜାରରେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏହାପରେ ମେହେନ୍ଦିପୁରସ୍ଥିତ ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷା ଶ୍ରମକୁ ଯାଇ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ସହିତ ସ୍କୁଲ ସମ୍ପର୍କରେ ଆଲୋଚନା କରିବା ପରେ ସ୍କୁଲର ଉନ୍ନତିକରଣ ଓ ସୈାନ୍ଧର୍ଯ୍ୟକରଣ ପାଇଁ ସରପଂଚ ଶ୍ରୀମତୀ ରାଉତଙ୍କୁ ପରାମର୍ଶ ଦେଇଥିଲେ । ସ୍କୁଲରେ ଖାଲି ପଡିଥିବା ଶିକ୍ଷକ ପଦବୀକୁ ଯଥା ଶୀଘ୍ର ପୁରଣ କରାଯିବା ବୋଲି ପ୍ରତିଶୃତି ଦେଇଥିଲେ । ଗ୍ରାମପଂଚାୟତରେ ନୂତନ ଭାବେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବୁଲି ଦେଖିବା ସହ ତୁରନ୍ତ ସେହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି ପଂଚାୟତକୁ ଏକ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବା ପାଇଁ ସରପଂଚ ଯତ୍ନବାନ ହେବାକୁ ପରାମର୍ଶ ଦେଇ ଏଦିଗରେ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ସଶ୍ମିତା ନାୟକ, ବିନୟ କୁମାର ମିଶ୍ର, ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


