ଜିଲ୍ଲାର ୬୭ କେନ୍ଦ୍ରରେ ଆରମ୍ଭ କିଶୋର-କିଶୋରୀ ଟିକାକରଣ

ବାଲେଶ୍ୱର, (ସରୋଜ ପଣ୍ଡା) :କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ୧୫ ରୁ ୧୮ ବର୍ଷ ବୟସ କିଶୋର-କିଶୋରୀ ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ବାଲେଶ୍ୱର ସୋମବାର ଜିଲ୍ଲାରେ ୬୭ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାଦାନ ଆରମ୍ଭ ହୋଇଛି । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜୀକରଣ ମାଧ୍ୟମରେ କିଶୋର କିଶୋରୀମାନେ କୋଭାକ୍ସିନ ଟିକାର ପ୍ରଥମ ପାନ ନେଇଛନ୍ତି । ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକାକରଣ ଚାଲିଛି । ଜିଲାର ପ୍ରାୟ ୧ଲକ୍ଷ ୩୦ହଜାର କିଶୋର, କିଶୋରୀଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩,୪ ଓ ୫ ତାରିଖରେ ୩୬ହଜାର ୧୬୦ ଜଣଙ୍କୁ ଟିକା ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୮ଦିନ ପରେ ପିଲାମାନଙ୍କୁ ଟିକାର ଦ୍ୱିତୀୟ ପାନ ପ୍ରଦାନ କରାଯିବ । ବାଲେଶ୍ୱର ସହରର ସହଦେବଖୁଣ୍ଟା, ଶୋଭାରାମପୁର ଏବଂ ସୁନହଟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଟିକାଦାନ ବ୍ୟବସ୍ଥା କରାଯାଇଛି । ସକାଳ ୮ଘଟିକାରୁ ଟିକାଦାନ ଆରମ୍ଭ ହୋଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ କିଶୋର, କିଶୋରୀ ଏବଂ ଅଭିଭାବକମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଟିକାକରଣ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । କୋଭିଡ ସଂକ୍ରମଣ ପ୍ରତିହତ ପାଇଁ ସମସ୍ତେ କୋଭିଡ ଟିକା ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଏଡିଏମଓ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ଡିପିଏମ ଅନୀଲ ମହାନ୍ତି, ଡିଏମଆରସିଏଚ ଏଲିନା ସାମଲଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ତତ୍ୱାବଧାନରେ ୧୫ ରୁ ୧୮ ବର୍ଷ କିଶୋରଙ୍କ ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ତେବେ ପ୍ରଥମ ଥର ପାଇଁ ଟିକା ନେଉଥିବା କିଶୋର କିଶୋରୀଙ୍କ ଠାରେ ବେଶ ଉତ୍ସୁକତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ