ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମିଶନ ପଡିଆଠାରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ଘ୭.୩୦ମି ସମୟରେ ବାଲେଶ୍ୱର ଜିଲ୍ଲାର କ୍ରୀଡାବିତ ଏବଂ କ୍ରୀଡା ଛାତ୍ରାବାସର ଅନ୍ତେବାସୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ମିଶନ ପଡିଆରୁ ବାହାରି ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ଆଇ.ପି.ଇ. ଶ୍ରୀ ଅଶୋକ କୁମାର ନାୟକ, ପି.ଇ.ଟି. ଶ୍ରୀ ଚିତରଂଜନ ପାଶା, ଜିଲ୍ଲା କ୍ରୀଡା ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଜଗଦୀଶ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ସେହିପରି ପୂର୍ବାହ୍ନ ୧୧ ଘଟିକା ସମୟରେ ସ୍ଥାନୀୟ କ୍ରୀଡା ଛାତ୍ରାବାସରେ ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଜୀବନୀ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଯୋଗ ଦେଇ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅପରାହ୍ନ ୪ଘଟିକା ସମୟରେ ମିଶନ ପଡିଆଠାରେ ଏକ ପ୍ରଦର୍ଶନୀ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ଜିଲ୍ଲାର ଭେଟେରାନ କ୍ରୀଡାବିତ ଏବଂ କ୍ରୀଡା ଛାତ୍ରାବାସର ଅନ୍ତେବାସୀମାନେ ଭାଗ ନେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।