ଜିଲ୍ଲାସ୍ତରୀୟ ଜାତୀୟ ସଡକ ସୁରକ୍ଷା ମାସ ଉଦ୍ଯାପିତ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଆଜି ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ ଆୟୋଜିତ ହେବା ସହ ଜିଲ୍ଲାସ୍ତରୀୟ ଜାତୀୟ ସଡକ ସୁରକ୍ଷା ମାସ ର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଡକ ସୁରକ୍ଷା ଆଇନର ଅନୁପାଳନ ଏବଂ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଗତ ବୈଠକମାନଙ୍କରେ ନିଆଯାଇଥିବା ନିଷ୍ପତିର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମୀରଞ୍ଜିତ ଦଳବେହେରାଙ୍କ ସମେତ ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀ, ଜିଲ୍ଲା ସଡକ ସୁରକ୍ଷା ସମିତିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଆଂଚଳିକ ପରିବହନ ଅଧିକାରୀ ସଡକ ସୁରକ୍ଷା ମାସରେ ଯାନବାହାନ ଚାଳକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯିବା ସହ ଜରିମାନା ଆଦାୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ସୁପ୍ରିମ କୋର୍ଟ ନିର୍ଦ୍ଦେଶନାମା ଅନୁଯାୟୀ ନିଶାସକ୍ତ ହୋଇ ଗାଡି ଚଳାଇବା, ଗାଡି ଚଲାଇବା ବେଳେ ମୋବାଇଲ ଫୋନର ବ୍ୟବହାର କରିବା, ଅତି ଦ୍ରୁତ ଗତିରେ ଗାଡି ଚଳାଇବା, କ୍ଷମତା ଠାରୁ ଅଧିକ ମାଲ ପରିବହନ କରିବା ଏବଂ ବିନା ହେଲମେଟରେ ଗାଡି ଚଳାଇବା ମାମଲାରେ ଜରିମାନା ଆଦାୟ କରାଯାଇଥିବା ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ । ସେହିପରି ଟ୍ରକ୍ ଟର୍ମିନାଲ ନିର୍ମାଣ, ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ୍ ସ୍ଥାପନ, ଜାତୀୟ ରାଜପଥରେ ସ୍ପିଡ୍ ଲିମିଟ୍ ବୋର୍ଡ ଲଗାଇବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସ୍ପର୍ଶ” ତରଫରୁ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବେଳେ ଏ ନେଇ ଅନୁଷ୍ଠାନର କର୍ମକର୍ତାମାନେ ଗୃହକୁ ଅବଗତ କରିଥିଲେ । ସେହିପରି ଗତ ଜାନୁଆରୀ ୧୮ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ଜାତୀୟ ସଡକ ସୁରକ୍ଷା ମାସ ର ଉଦଯାପନୀ ସମାରୋହ ମଧ୍ୟ ଆଜି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ସଡକ ସୁରକ୍ଷା ସମିତି ତରଫରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସପିଟାଲ ପହଂଚାଇବାରେ ସହାୟତା କରିଥିବା ୭ଜଣ ଗୁଡ୍ ସାମାରିଟାନ(ଭଲ ସାହାଯ୍ୟକାରୀ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ୭ଜଣ ହେଲେ ଶ୍ରୀ ଗଣେଶ ଚନ୍ଦ୍ର ଗିରି, ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ ଶରତ କୁମାର ବିଶ୍ୱାଳ, ଶ୍ରୀ ରାଜକିଶୋର ମହାନ୍ତି, ଶ୍ରୀ ଅଲେଖ ନିରଞ୍ଜନ ବିଶ୍ୱାଳ, ଶ୍ରୀ ବରୁଣ କୁମାର ମହାଳିକ୍, ଶ୍ରୀ ପ୍ରଶାନ୍ତ କୁମାର ଜେନା । ଏହି ସାତ ଜଣଙ୍କୁ ମାନପତ୍ର ଏବଂ ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସେମାନଙ୍କ ନିଃସ୍ୱାର୍ଥପର ସେବା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ କହିଥିଲେ । ବିଶେଷ କରି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ଶ୍ରୀ ବରୁଣ କୁମାର ମହାଳିକ ଯେ କି ନିଜ ପରୀକ୍ଷା ପାଇଁ ବିଳମ୍ବ ସତ୍ୱେ ଜଣେ ଦୁର୍ଘଟଣା ପୀଡିତକୁ ସାହାଯ୍ୟ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତି କରାଇପାରିଥିଲେ, ତାହାର ଉଚ୍ଚ ପ୍ରଶଂସା କରାଯାଇଥିଲା । ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଅନୁଷ୍ଠିତ “ୱାଲ୍ ପେଂଟିଂ” ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ୪ଟି ଦଳକୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପ୍ରଥମ ହୋଇଥିବା ଦଳ( ତିନି ଜଣ ପ୍ରତିଯୋଗୀ)କୁ ମାନପତ୍ର ଏବଂ ୪ହଜାର ୫ଶହ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ, ଦ୍ୱିତୀୟ ହୋଇଥିବା ଦଳ(ତିନି ଜଣ ପ୍ରତିଯୋଗୀ)କୁ ମାନପତ୍ର ଏବଂ ୩ହଜାର ଟଙ୍କାର ଅର୍ଥରାଶି ଏବଂ ଯୁଗ୍ମ ତୃତୀୟ ହୋଇଥିବା ୨ଟି ଦଳ(୬ଜଣ ପ୍ରତିଯୋଗୀ)କୁ ମାନପତ୍ର ଏବଂ ୧୫ଶହ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଗୃହରେ ଉପସ୍ଥିତ ସଦସ୍ୟମାନେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବର୍ଷ ସାରା ଜାରି ରଖିବା ସହ ନିୟମିତ ଧରପଗଡ ଜାରି ରିଖିବା ଉପରେ ଗୃହରେ ଉପସ୍ଥିତ ସଦସ୍ୟମାନେ ଜୋର୍ ଦେଇଥିଲେ । ସଡକ ସୁରକ୍ଷା ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାର କଡାକଡି ଅନୁପାଳନ, ଦ୍ରୁତ ଗତି ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଦୁର୍ଘଟଣା ବାବଦରେ ଠିକ ସମୟରେ ମିଳିତ ତଦନ୍ତ ରିପୋର୍ଟ ପ୍ରଦାନ ଇତ୍ୟାଦି ଉପରେ ବୈଠକରେ ସମୀକ୍ଷା କରାଯାଇଥିଲା । ଆର.ଟି.ଓ. ଶ୍ରୀ ରଶ୍ମୀରଞ୍ଜିତ ଦଳବେହେରା ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।