ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଚଳିତ ଖରି‘ କୃଷି ବର୍ଷର ଧାନ ସଂଗ୍ରହ ଚାଷୀଙ୍କ ଠାରୁ କେବଳ ମଣ୍ଡିଗୁଡିକରେ କରାଯିବ ବୋଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସର୍ବ ସମ୍ମତି କ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗୃହରେ ସଦସ୍ୟମାନେ ମିଲର୍ସମାନେ ନିଜ ନିଜ ମିଲଗୁଡିକରେ କିଣିଥିବା ଅଭିଯୋଗ ପରେ ଏହା ଉପରେ ଆଲୋଚନା କରାଯାଇ କେବଳ ମଣ୍ଡିରେ ଧାନ କିଣିବାକୁ ମତ ପ୍ରକାଶ ପାଇଥିଲା । ଏଥି ସହିତ ଚାଷୀମାନଙ୍କ ପଞ୍ଜୀକରଣ ସଂଖ୍ୟା କାହିଁକି ହ୍ରାସ ପାଉଛି ସେ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ତେବେ ଚାଷୀମାନଙ୍କ ସୁବିଧା ପାଇଁ କେତେକ ବଡ ପଂଚାୟତରେ ଏକାଧିକ ମଣ୍ଡି/ସବ୍‌ସେଂଟର କରିବାକୁ ସଦର ବିଧାୟକ ପ୍ରସ୍ତାବ ଦେଇଥିଲେ । ତେବେ ଏଥି ପାଇଁ ସମସ୍ତ ସମ୍ଭାବ୍ୟ ଭିତିଭୂମିର ଆକଳନ କରି ପଦକ୍ଷେପ ନେବାକୁ କୁହାଯାଇଛି । ନିୟନ୍ତ୍ରିତ ବଜାର କମିଟି ତର‘ରୁ ଚାଷୀମାନଙ୍କ ନିମନ୍ତେ ତାଲିମ ଏବଂ ମଣ୍ଡି ଓ ଧାନର ମାନ ସଂକ୍ରାନ୍ତରେ ଉପଯୁକ୍ତ ସୂଚନା ପ୍ରଦାନ ସକାଶେ ବ୍ୟବସ୍ଥା କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଏହା ଯେପରି ପ୍ରତି ବ୍ଲକ ଅଂଚଳରେ ଆୟୋଜନ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଆସନ୍ତା ନଭେମ୍ବର ୨୫ ତାରିଖରୁ ଜିଲ୍ଲାରେ ମଣ୍ଡିଗୁଡିକ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ଚାଷୀଙ୍କ ଆଧାର କାର୍ଡ ଭିତିରେ ଧାନ ସଂଗ୍ରହ କରାଯିବ । ଚାଷୀମାନେ ଧାନ ବିକ୍ରିର ଅର୍ଥ ପଇଠ ରସିଦ୍ ସୃଷ୍ଟିର ୨୪ ଘଂଟା ମଧ୍ୟରେ ବ୍ୟାଙ୍କ ଖାତାକୁ ବିକ୍ରି ମୂଲ୍ୟ ପଠାଇବାର ବ୍ୟବସ୍ଥା କରାଯାଇଛି । ଜଣେ ଚାଷୀ କେତେ ପରିମାଣର ଧାନ ବିକ୍ରି କରି ପାରିବ ତାହା ଏ ଯାଏଁ ନିର୍ଦ୍ଧାରଣ କରାଯାଇ ନାହିଁ । ତେବେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ କୁହାଯାଇଛି । ମଣ୍ଡିଗୁଡିକରେ ନିୟନ୍ତ୍ରିତ ବଜାର କମିଟି ତରଫରୁ ଭିତିଭୂମିର ବିକାଶ, ଧାନ ଓଜନ କଂଟା, ଆର୍ଦ୍ରତା ମାପକ ଯନ୍ତ୍ର ପ୍ରଭୃତି ଉପଲବଧ କରିବାକୁ ପରାମର୍ଶ ଦିଆଯାଇଛି । ତା ଛଡା ଚାଷୀମାନେ ଯେପରି ଏ‘ଏକ୍ୟୁ ଷ୍ଟାଣ୍ଡାର୍ଡ ଧାନ ମଣ୍ଡିକୁ ଆଣିବେ ସେ ନେଇ ସଚେତନତା ଜାଗ୍ରତ କରିବାକୁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଚଳିତ ଋତୁରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ ପାଇଁ ଟ.୧୮୧୫/- କ୍ୱିଂଟାଲ ପିଛା ଓ ଗ୍ରେଡ “ଏ” ଧାନ କ୍ୱିଂଟାଲ ପିଛା ଟ.୧୮୩୫/- ଧାର୍ଯ୍ୟ କରାଯାଇଛି । ଇତି ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟସଗୁଡିକୁ କାର୍ଯ୍ୟକ୍ଷମ କରିବା, ଜଳସେଚିତ ଜମିଗୁଡିକୁ ଅଧିପ୍ରମାଣିତ କରିବା, ଭାଗ ଚାଷୀ ସ୍ଥିତି ଯାଂଚ ପ୍ରଭୃତି କାର୍ଯ୍ୟ ସଂପାଦନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ଚଳିତ ବର୍ଷ ଅନଲାଇନ୍‌ରେ ଚାଷୀମାନଙ୍କ ପଞ୍ଜୀକରଣ ସଂଖ୍ୟା ୬୨,୪୦୫ ଜଣ ବୋଲି ପରିସଂଖ୍ୟାନରୁ ଜଣାପଡିଛି । ତେବେ ଏହା ଗତ ବର୍ଷ ତୁଳନାରେ ୧୦,୭୪୩ କମ୍ ଥିବା ଜଣାପଡିଛି । ସେହିପରି ଚଳିତ ବର୍ଷ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଧାନ ସଂଗ୍ରହର ପରିମାଣ ୧୨,୧୭,୬୪୭.୦୬ କ୍ୱିଂଟାଲ । ଏହି ପରିମାଣର ଧାନକୁ ୧୪୩ ଗୋଟି ସୋସାଇଟି ମାଧ୍ୟମରେ ଚାଷୀଙ୍କ ଠାରୁ କ୍ରୟ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଆଜିର ବୈଠକରେ ସମବାୟ ବିଭାଗ, ନିୟନ୍ତ୍ରିତ ବଜାର କମିଟି, ସାଧାରଣ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ମିଲର୍ସ ପ୍ରମୁଖ ଯୋଗ ଦେଇଥିବା ବେଳେ ମାନ୍ୟବର ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀ ସୁକାନ୍ତ କୁମାର ନାୟକ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନମୋହନ ଦତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି, ମାନ୍ୟବର ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶ୍ରୀ ଉମାକାନ୍ତ ମହାପାତ୍ର, ମାନ୍ୟବର ଭଦ୍ରକ ସାଂସଦ ପ୍ରତିନିଧି ଶ୍ରୀ ଅଶ୍ୱିନୀ ମହାପାତ୍ର, ମାନ୍ୟବର ଜଳେଶ୍ୱର ବିଧାୟକ ପ୍ରତିନିଧି ଶ୍ରୀ ମାନସ ଜେନା, ପିଡି ଶ୍ରୀ ରାମଚନ୍ଦ୍ର ଜେନା ପ୍ରମୁଖ ମଂଚାସୀନ ଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରବି ନାରାୟଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ