ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଗାନ୍ଧୀ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଲୋକସଭା ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ଓଡିଶାରେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ଏକ ନୂଆ ମୋଡରେ ପହଞ୍ଚିଥିବା ଏବଂ ବାଲେଶ୍ୱର ଜିଲ୍ଲା ସମଗ୍ର ରାଜ୍ୟରେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିପାରିଥିବା କହିଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ପକ୍କା ଘର ନିର୍ମାଣ ଏବଂ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ଆମ ଜିଲ୍ଲାର ପ୍ରଦର୍ଶନ ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବେଶ୍ ଉତ୍ସାହଜନକ ବୋଲି ସେ କହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କର ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ପ୍ରତି ଥିବା ଅବଦାନକୁ ସ୍ମରଣ କରି ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ, ବିଧାନସଭା ପ୍ରଭୃତିରେ ମହିଳାଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ଲାଗି ବିଭିନ୍ନ ସ୍ତରରେ କରୁଥିବା ଉଦ୍ୟମ ଫଳବତୀ ହେଲେ ଶାସନ ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଆସିପାରିବ ବୋଲି ଆଶାପ୍ରକଟ କରିଥିଲେ । ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏବଂ ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ଯୋଗ ଦେଇ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଓଡିଶାର ପଞ୍ଚାୟତିରାଜ ବ୍ୟବସ୍ଥା ଦେଶର ଅନ୍ୟାନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି ବୋଲି କହିଥିଲେ । ପଂଚାୟତିରାଜ ଶାସନ ବ୍ୟବସ୍ଥାର ପ୍ରକୃତ ସୁଫଳ ଏବେ ଆମ ରାଜ୍ୟ ପାଇପାରୁଥିବା ସେମାନେ ମତବ୍ୟକ୍ତ କରିଥିଲେ । ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାକୁ ଦୃଢୀକରଣ କରିବା ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସ ଆଗାମୀ ଦିନରେ ଆମ ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାରେ ସହାୟକ ହେବ ବୋଲି ଅତିଥିମାନେ କହିଥିଲେ । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ କ୍ଷମତାର ବିକେନ୍ଦ୍ରୀକରଣ ଏବଂ ମହିଳା ସଶକ୍ତିକରଣ ଦ୍ୱାରା ଗ୍ରାମାଂଚଳର ପ୍ରଭୂତ ବିକାଶ ହୋଇପାରିଥିବା ଉଲ୍ଲେଖ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପାଳିତ ହେଉଥିବା ପଂଚାୟତିରାଜ ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ଏଥି ଯୋଗୁଁ ରାଜ୍ୟ ତଥା ଜିଲ୍ଲାର ଗ୍ରାମାଞ୍ଚଳରେ ସାମାଜିକ, ଅର୍ଥନୈତିକ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବହୁ ଉନ୍ନତି ସାଧିତ ହୋଇପାରିଥିବା ଜିଲ୍ଲାପାଳ କହିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଏବଂ ନୀଳଗିରି ଉପଜିଲ୍ଲାପାଳ ବିଶାଲ ସିଂହ ପ୍ରମୁଖ ଏ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ । ଏହି ଅବସରରେ ରେମୁଣା ବ୍ଲକର ଭୀମପୁରା ପଞ୍ଚାୟତ, ଖଇରା ବ୍ଲକର କୁରୁଣ୍ଟା ପଞ୍ଚାୟତ, ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଏବଂ ରେମୁଣା ବ୍ଲକର ସରସ୍ୱତୀପୁର ପଂଚାୟତକୁ ସୁସ୍ଥ ପଂଚାୟତ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଫେବୃଆରମୀ ମାସରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମଗୁଡିକରେ ଶ୍ରେଷ୍ଠ ପଞ୍ଚାୟତ ଭାବେ ମନୋନୀତ ବାହାନଗା ବ୍ଲକର ଆରୁହାବାଡ ପଞ୍ଚାୟତ, ବାଲେଶ୍ୱର ବ୍ଲକର ଜୟଦେବ କସବା, ବାଲିଆପାଳ ବ୍ଲକର ରତେଇ, ବସ୍ତା ବ୍ଲକର ସାହାଦା, ଭୋଗରାଇ ବ୍ଲକର ଏନ.ଏମ.ପଡିଆ, ଜଳେଶ୍ୱର ବ୍ଲକର କୋଟସାହି, ଖଇରା ବ୍ଲକର କୁପାରୀ, ନୀଳଗିରି ବ୍ଲକର ବେଗୁନିଆ, ଔପଦା ବ୍ଲକର ଆର.ଆର.ପୁର, ରେମୁଣା ବ୍ଲକର ସୁତେଇ, ସିମୁଳିଆ ବ୍ଲକର କହ୍ନେଇବିନ୍ଧା ଏବଂ ସୋର ବ୍ଲକର ପାଖର ପଞ୍ଚାୟତଗୁଡିକୁ ସମ୍ବର୍ଦ୍ଧିତ କରାଯିବା ସହିତ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାର ସିଧା ପ୍ରସାରଣ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ଶୁଭଶ୍ରୀ ଦାସ ଏବଂ ସୁଶ୍ରୀ ଆକାଂକ୍ଷା ପାତ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ସଙ୍ଗୀତ କଳାମନ୍ଦିରର କଳାକାର ‘ବନ୍ଦେ ଉକ୍ରଳ ଜନନୀ’ ପରିବେଷଣ କରିଥିଲେ । ଜିଲ୍ଲା ପଂଚାୟତ ଅଧିକାରୀ ବଂଶୀଧର ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ପଞ୍ଚାୟତ ଜନପ୍ରତିନିଧି, ଦକ୍ଷତା ବିକାଶ ସଂସ୍ଥାନର ଶିକ୍ଷାନବୀଶ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।