ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ଆଜି ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସ ପ୍ରାରମ୍ଭରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ବ୍ଲକ କଳାକାର ସଂଘର ଉପସଭାପତି ଓ ସଭ୍ୟମାନଙ୍କୁ ଶ୍ରୀ ମହାପାତ୍ର ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱରଙ୍କ ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଗ୍ରାମୀଣ ସ୍ତରରେ ରାଜ୍ୟ ସରକାରଙ୍କ ୧୦ଟି ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ଲୋକକଳା ମାଧ୍ୟମରେ ସଠିକ ଢଙ୍ଗରେ ଓ ସୁନ୍ଦର ଭାବେ ପରିବେଷଣ କରିବାକୁ କହିଥିଲେ । କେନ୍ଦ୍ରାପଡାର ପାରମ୍ପରିକ ଲୋକକଳା ସର୍ବଜନ ବିଦିତ । ସାରା ରାଜ୍ୟରେ କିପରି କେନ୍ଦ୍ରାପଡା ପ୍ରଚାର ପ୍ରସାର ମାଧ୍ୟମରେ ସରକାରଙ୍କ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ପ୍ରଥମ ହେବ ତାହା ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଇଥିବା ପ୍ରତ୍ୟେକ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଓ ସଭ୍ୟମାନେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଅନ୍ୟ କଳାକାରମାନଙ୍କୁ ପ୍ରଶିକ୍ଷଣ ଦେବେ । ଆସନ୍ତା ୧୫ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପୀ ପାରମ୍ପରିକ ଲୋକକଳା ମାଧ୍ୟମରେ ଜିଲ୍ଲାର ୯ଟି ବ୍ଲକ ଅନ୍ତର୍ଗତ ୨୪୯ ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆମ ହସ୍ପିଟାଲ, ଆମ ଓଡିଶା ନବିନ ଓଡିଶା, କୃଷିଋଣ ଓ ଫସଲ ବୀମା ଯୋଜନା ଓ ୫-ଟି ମାଧ୍ୟମରେ ବିଦ୍ୟାଳୟର ରୂପାନ୍ତରିକରଣ ଓ ଆଦର୍ଶ ବିଦ୍ୟାଳୟ ଓ ମିଶନ ଶକ୍ତି ହକି କ୍ରୀଡାର ପ୍ରଚାର ପ୍ରସାର ମମତା ଓ ହରିଶ୍ଚନ୍ଦ୍ର ଯୋଜନାର ସଫଳ ବାର୍ତ୍ତା ଯେପରି ନିମ୍ନସ୍ତରରେ ବାସ କରୁଥିବା ଜନସାଧାରଣଙ୍କ ନିକଟରେ ପହଞ୍ôଚପାରିବ ସେଥିପାଇଁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଡେପୁଟି ଡାଇରେକ୍ଟର ପ୍ଲାନିଂ ଆରତୀ ନାୟକ, ଫସଲ ବୀମା ଯୋଜନା ଓ ଫସଲ ଋଣ ସୁଧ ରିହାତି, ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତି ସାମଲ ଫସଲ ବୀମା ଯୋଜନା, କୈଳାସ ବାରିକ ମିଶନ ଶକ୍ତି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆମ ହସ୍ପିଟାଲ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫-ଟି ହାଇସ୍କୁଲ ରୂପାନ୍ତରୀକରଣ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଉକ୍ତ ଶିବିରରେ ରାଜ୍ୟ ସରକାରଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଦୁଇଜଣ ସଂସାଧନ ସଭ୍ୟ ବିମଳ ପ୍ରସାଦ ପରିଡା ଓ ଦେବାଶିଷ ସାମଲ ଉପସ୍ଥିତ ବ୍ଲକ କଲା ସଂସ୍କୃତି ସଂଘର ଉପସଭାପତି ଓ ଅନ୍ୟ ଦୁଇଜଣ ସଭ୍ୟଙ୍କୁ ରାଜ୍ୟ ସରକାରଙ୍କ ୧୦ଟି ଜନମଙ୍ଗଳକାରୀ ଯୋଜନାର ସଫଳତା ଓ ପାରମ୍ପରିକ ଲୋକକଳା ମାଧ୍ୟମରେ କିପରି ପ୍ରତ୍ୟେକ ଗ୍ରାମରେ ସୁନ୍ଦର ଭାବେ ପରିବେଷଣ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏକ ଘଣ୍ଟାର ଅବଧି ମଧ୍ୟରେ କିପରି ଏହାକୁ ପରିବେଷଣ କରାଯାଇପାରିବ ଓ ପରିବେଷଣ ସମୟରେ ଯୋଜନାର ଆଭିମୁଖ୍ୟକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେମାନେ କଳାକାରମାନଙ୍କୁ ବୁଝାଇଥିଲେ ଓ କଳାକାରମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ । ଉକ୍ତ ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ୯ଟି ବ୍ଲକରୁ ୯ଜଣ ବିଏସ୍ଏସ୍ଓ, ୯ଟି ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ଓ ୨ଜଣ ସଭ୍ୟ (ମୋଟ୍ ୨୭ଜଣ), ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମର ଦାସ, କନିଷ୍ଠ ରାଜସ୍ୱ ସହାୟିକା ଜୟଶ୍ରୀ ସାହୁ, ନିକ୍ଷେପକ ମଧୁସୂଦନ ମଲ୍ଲିକ, ତପନ କୁମାର ପରିଡା, ରଞ୍ଜନ ବେହେରା ଓ ଜିଲ୍ଲା କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ଉମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।