ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୯୦ ଲିଟର ଚୋର ମଦ ଜବତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୯୦ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦେଶ କ୍ରମେ ଅବକାରୀ ସବ୍ଇନିସପେକ୍ଟର ସରୋଜ କୁମାର ବାଗ୍ଙ୍କ ନେତୃତ୍ୱରେ ଚଢାଉ କରାଯାଇ ଗୁରୁବାର ତନ୍ତିଆପାଳ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମର ଜ୍ଞାନରଞ୍ଜନ ଦାସ ଓ ଟିକିଲି ରାଉତଙ୍କ ଠାରୁ ୫୦ଲିଟର ଆଡି ଲିକର ଓ ୨୦ଲିଟର ବିଦେଶୀ ଚୋରାମଦ ଜବତ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇଛି । ଏଥିସହିତ ବାଙ୍କିଛନ୍ଦା ଗ୍ରାମରୁ ୨୦ଲିଟର ଦେଶୀ ଚୋରାମଦ ଜବତ କରାଯାଇଥିବା ବେଳେ ପ୍ରାୟ ୧୩ଶହ ଲିଟର ରନ୍ଧା ହେଉଥିବା ମଦକୁ ନଷ୍ଟ କରିଦିଆଯାଇଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଚୋରାମଦ ବେପାରୀ ଟିକିଲି ରାଉତ ହଠାତ ଦୈାଡିଆସି ଅବକାରୀ ବିଭାଗ ଗାଡି ଉପରେ ପେଟ୍ରୋଲ ଢାଳି ଦିଆସିଲି ଲଗାଇବାକୁ ଉଦ୍ୟମ କରିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ରୋକାଯିବାରୁ ଏକ ନିଶ୍ଚିନ୍ତ ବିପଦରୁ ରକ୍ଷା ପାଇଯାଇଥିଲା ଅବକାରୀ ବିଭାଗ ଗାଡି ଓ କର୍ମଚାରୀ । ମୋଟ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ଜଣଙ୍କୁ ୪୧ ସିରେ ଜାମିନ ପ୍ରଦାନ କରାଯାଇଥିବା ବେଳେ ଚୋରା ମଦ ବେପାରୀ ଜ୍ଞାନରଞ୍ଜନ ଦାସ ଓ ଟିକିଲି ରାଉତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ମିଳିଛି । ଏହି ଚଢାଉରେ ଅବକାରୀ ବିଭାଗର ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ସୁନିଲ କୁମାର ମିଶ୍ର , ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।