ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଘଲଟି ଅଞ୍ଚଳର ଜଳବନ୍ଦୀ ଘେରରେ ରହିଥିବା ୫ ଟି ଗାଁର ୧୫୦ ପରିବାରକୁ ପାତ୍ରପୁର ତହସିଲ ଅନ୍ତର୍ଗତ ଅନ୍ୟତ୍ର ସ୍ଥାନରେ ଥଇଥାନ କରାଯିବ । ମୋ ସରକାର କାର୍ଯ୍ୟକ୍ରମ ସମୟରେ ରାଜସ୍ୱ ସେବା ନିଶ୍ଚିତ ରହିଛି । ତହସିଲଦାରମାନେ ନିଜର କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ହେବ । ଜିଲ୍ଲାର ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲଣ ରୋକିବା ଦିଗରେ ଏଣିକି ରାତିରେ ତହସିଲଦାରମାନେ ପାଟ୍ରୋଲିଂ କରିବାକୁ ହେବ । ଚିହ୍ନଟ ହୋଇଥିବା ନୂତନ ସଇରାତ ଗୁଡିକୁ ତୁରନ୍ତ ଲିଜ୍ ଦେବାରେ ପଦକ୍ଷେପ ନିଆଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଫଇସଲା କରିବାକୁ ଧାର୍ଯ୍ୟ ଥିବା ମ୍ୟୁଟେସନ୍, ଓଏଲ୍ଆର୍ ଏବଂ ୧୯(ଆଇ)ସି ମାମଲା ଗୁଡିକୁ ତୁରନ୍ତ ଫଇସଲା କରି ହିତାଧିକାରୀଙ୍କୁ ହସ୍ତାନ୍ତର କରାଯିବ । ସହରାଞ୍ଚଳକୁ ପ୍ରବେଶ ହେଉଥିବା ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ କରାଯିବ । ସରକାରୀ ଜମିକୁ ସୁରକ୍ଷିତ ରଖିବା ସହ ସହରାଞ୍ଚଳକୁ ସଫାସୁତରା ରଖିବା ଦିଗରେ ପଦକ୍ଷେପ ନିଆଯିବାକୁ ଜିଲ୍ଲାପାଳ କହିଛନ୍ତି । ତହସିଲଦାରମାନେ ଘରୋଇ ଗ୍ୟାସ୍, ଅପମିଶ୍ରଣ ମଦ ଏବଂ ଠିପିବନ୍ଦ ମଦ ଦୋକାନ ଗୁଡିକ ଉପରେ ତୀକ୍ଷଣ ଦୃଷ୍ଟି ରଖିବେ । ୧୯ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ତହସିଲଦାରମାନେ ପରୀକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିବେ । କପି ପ୍ରଚଳନ ଉପରେ ପିଲା ଏବଂ ଶିକ୍ଷକଙ୍କମାନଙ୍କ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ପରିବହନ ବିଭାଗକୁ ବସ୍ ଗୁଡିକରେ ଫାଷ୍ଟ ଏଡ୍ ବକ୍ସ, ଅଗ୍ନି ନିରାପତ୍ତା ଉପରେ ଯାଞ୍ଚ କରିବାକୁ କୁହାଯାଇଛି । ଅବକାରୀ ବିଭାଗକୁ ବେଆଇନ ମଦ ଓ ଗଞ୍ଜେଇ କାରବାର ଉପରେ ଘନଘନ ଚଢଉ ଜାରି ରଖାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ନୂତନ ୬୦ ଟି ମୋରମ, ୧୬ ଟି ପଥର ଏବଂ ୩ ଟି ବାଲି ସଇରାତ ଚିହ୍ନଟ କରାଯାଇଛି । ଦିନ ଧାର୍ଯ୍ୟରୁ ଅଧିକା ସମୟ ବିତିଯାଇଥିଲେ ସୁଦ୍ଧା ଜିଲ୍ଲାରେ ୧୪୯୪ ଟି ମ୍ୟୁଟସେନ୍ ମାମଲା, ୧୬୮୯ ଓଏଲ୍ଆର୍ ମାମଲା ଏବଂ ୧୯(ଆଇ)ସି ୧୮ ଟି ମାମଲା ଫଇସଲା ନ ହୋଇ ପଡିରହିଛି । ସେହିପରି ଜିଲ୍ଲାରେ ୬୭ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟ ରହିଥିବା ବେଳେ ଜାନୁୟାରୀ ମାସ ସୁଦ୍ଧା ୩୫ କୋଟି ୯୮ ଲକ୍ଷ ରାଜସ୍ୱ ଆଦାୟ ହୋଇପାରିଛି । ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ମଞ୍ଜୁର ହୋଇଥିବା ୫୧ ଟି ଜଙ୍ଗଲ ଓପଡା ଗ୍ରାମକୁ ମାର୍ଚ୍ଚ ୧୫ ସୁଦ୍ଧା ରାଜସ୍ୱ ଗ୍ରାମରେ ଅନ୍ତର୍ଭୁକ୍ତ କରାଯିବ । ସେହିପରି ଆଦିବାସୀ ଓ ବନବାସୀଙ୍କ ଜମି ହଡପ କରିଥିବା ଓଡିଶା ଭୂ-ସଂସ୍କାର ଆଇନ ୧୯୬୪ ଧାରା ୨୨ ଓ ୨୩ ଅନୁସାରେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଦିବାସୀ ଓ ବନବାସୀଙ୍କ ଜଙ୍ଗଲ ଜମିକୁ ତହସିଲଦାର ଓ ବନ ବିଭାଗ ମିଳିତ ଭାବେ ଚିହ୍ନଟ କରିବେ । ଯୋଗ୍ୟ ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରାଯିବ । ଏହି ପଟ୍ଟା ପ୍ରଦାନ ବେଳେ ହିତାଧିକାରୀ ସରକାରଙ୍କ ଆଉ କେଉଁ କେଉଁ ସୁବିଧା ପାଉଛନ୍ତି ଏବଂ ବଞ୍ଚିତ ଅଛନ୍ତି ତାହାର ତାଲିକା ମଧ୍ୟ ଆଗୁଆ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସରକାରୀ ଗାଇଡଲାଇନ ଅନୁଯାୟୀ ଯେଉଁ ମାନେ ଚିମିନି ଇଟା ଭାଟି କରିବାକୁ ଚାହୁଁଛନ୍ତି । ସେମାନେ ନୀୟମମୁତାବକ ଆବେଦନ କରିପାରିବେ ବୋଲି ବୈଠକ ଆଲୋଚନା ହୋଇଛି ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଡେପୁଟି କଲେକ୍ଟର ଡଃ.ଦିବ୍ୟ ଲୋଚନ ମହନ୍ତଙ୍କ ସମେତ ସମସ୍ତ ତହିସଲଦାର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।


