ବିପର୍ଯ୍ୟୟ ପରିଚାଳନା ଲାଗି ଜିଲ୍ଲାସ୍ତରୀୟ ଏନଜିଓ ସମନ୍ୱୟ କମିଟି ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଶନିବାର ପୂର୍ବାହ୍ନରେ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ବିପର୍ଯ୍ୟୟ ପରିଚାଳନା ଲାଗି ଏକ ଜିଲ୍ଲାସ୍ତରୀୟ ଏନଜିଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ ପ୍ରଥମେ ବୈଠକର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପ୍ରଶାସନର ବିଭିନ୍ନ ଲାଇନ ଡିପାର୍ଟମେଂଟ ଅଧିକାରୀ ଏବଂ ଏନଜିଓ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଏଥିରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିପର୍ଯ୍ୟୟ ସମୟରେ ପ୍ରଶାସନ ଏବଂ ଏନଜିଓମାନଙ୍କ ମଧ୍ୟରେ କିଭଳି ଉଚିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିହେବ ଏବଂ ଧନଜୀବନ ରକ୍ଷା କରିହେବ ସେ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହେଇଥିଲା । ବିଶେଷ କରି ଏନଜିଓ ପ୍ରତିନିଧିମାନେ ନିଜେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ । ବିପର୍ଯ୍ୟୟ ସମୟରେ କିଭଳି ଉଦ୍ଧାର ଓ ଥଇଥାନ କାମ ସହଜରେ କରିହେବ ସେ ବାବଦରେ ଏଭଳି ବୈଠକ ନିୟମିତ ଭାବେ ଆୟୋଜିତ ହେବା ଉଚିତ ବୋଲି ମତପ୍ରକାଶ ପାଇଥିଲା । ବ୍ଲକ ସ୍ତରରେ ଏନଜିଓ ସମନ୍ୱୟ କମିଟି ଗଠନ ସହ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟିଗୁଡିକ ଠିକ୍ ଢଙ୍ଗରେ କାର୍ଯ୍ୟ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବନ୍ୟା ଓ ବାତ୍ୟା ବ୍ୟତୀତ ଜିଲ୍ଲାରେ ସାପ କାମୁଡା ଏବଂ ବଜ୍ରପାତ ଯୋଗୁଁ ବହୁ ଧନଜୀବନ ହାନି ହେଉଥିବାରୁ ଏହାର ମୁକାବିଲା ଲାଗି ଉଚିତ ପଦକ୍ଷେପ ଗ୍ରହଣ ଲାଗି ଉପସ୍ଥିତ ସଦସ୍ୟମାନେ ଜୋର ଦେଇଥିଲେ । ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ସହଯୋଗ ଲାଭ କରିବା ସହିତ ବିପର୍ଯ୍ୟୟ ବେଳେ ଗ୍ରାମ ସରପଂଚ ଓ କମିଟି ସମ୍ପାଦକ ମଧ୍ୟରେ ଉଚିତ ସମନ୍ୱୟ ରକ୍ଷା ଏବଂ ସଠିକ ସୂଚନାର ଆଦାନ ପ୍ରଦାନ ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ଏନଜିଓ ପ୍ରତିନିଧିମାନେ ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ନିମାଇଁ ଚରଣ ମହାନ୍ତି, ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ମଂଚାସୀନ ଥିବା ବେଳେ ଓସଡାମା ଜିଲ୍ଲା ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ