ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାରେ ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅଧ୍ୟକ୍ଷତା କରି ରାଜସ୍ୱ ଆଦାୟ ବୃଦ୍ଧିକୁ ତ୍ବରାନ୍ବୀତ କରିବା ପାଇଁ କହିଥିଲେ  ।  ଯେଉଁ ଗାଡି ବେଆଇନ୍ ବାଲି, ଗୋଡି, ପଥର, ମୋରମ ଚୋରା ଚାଲାଣ କରୁଥିବେ ସେଗୁଡିକୁ ଜବତ କରାଯିବା ସହ ଜୋରିମାନା ପରିମାଣ ଯଥେଷ୍ଟ ଅଧିକ କରାଯିବ, ଯାହା ଫଳରେ ଅନ୍ୟମାନେ ବେଆଇନ୍ ଚାଲାଣ କରିବାକୁ  ସାହସ କରିବେ ନାହିଁ  । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଛତ୍ରପୁର ଉପଖଣ୍ଡରେ ଚୋରା ଚାଲାଣ ବେଳେ ୫୮୪ ଟି ଗାଡି ଜବତ କରାଯାଇ ୧ କୋଟି ୯୩ ଲକ୍ଷ ୮୯ ହଜାର ୮୦୫ଟଙ୍କା ଆଦାୟ କରାଯାଇଥିବା ବେଳେ, ବ୍ରହ୍ମପୁର ଉପଖଣ୍ଡ ରେ ୯୨୨ ଟି ଗାଡି ଜବତ କରାଇ ୧ କୋଟି ୪୭ ଲକ୍ଷ ୨୩ ହଜାର ୭୩୬ ଟଙ୍କା ଆଦାୟ କରାଯାଇଛି  । ସେହିପରି ଭଞ୍ଜନଗର ଉପଖଣ୍ଡରେ ୫୨୦ଟି ଗାଡି ଜବତ କରାଯାଇ ୮୫ ଲକ୍ଷ ୦୮ ହଜାର ୮୯୯ ଟଙ୍କା ଆଦାୟ କରାଯାଇଛି  । ଜମିଜମା  ଫୈସଲା କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ  କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟକୁ ନିର୍ଦ୍ଧାରୀତ ସମୟ ମଧ୍ୟରେ  କାର୍ଯ୍ୟକାରୀ କରିବାକୁ କହିଥିଲେ  । ଛତ୍ରପୁର ଅବକାରୀ ଜିଲ୍ଲାରୁ ରାଜସ୍ୱ ଶତକଡା ୮୨ ପ୍ରତିଶତ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ଆଦାୟ ହୋଇପାରିଛି  । ସେହିପରି ବ୍ରହ୍ମପୁର ଅବକାରୀ ଜିଲ୍ଲା ୭୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୮୯ ଲକ୍ଷ ୧୭ ହଜାର ୭୫୫ ଟଙ୍କା ଆଦାୟ ହୋଇଛି  । ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୬୭୪୨୧୯୭୦୮ ଟଙ୍କା ଅର୍ଥାତ୍ ୯୭.୯ପ୍ରତିଶତ ରାଜସ୍ୱ ଆଦାୟ କରାଯାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୮୯୯୧୧୭୫୯ଟଙ୍କା ଅର୍ଥାତ୍ ୨୩.୪୭ପ୍ରତିଶତ ଆଦାୟ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ପ୍ରକାଶ କରିଥିଲେ  ।  ବୈଠକ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରିୟ ରଞ୍ଜନ ପୃଷ୍ଟି, ସମସ୍ତ ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ଛତ୍ରପୁର ଅବକାରୀ ଅଧୀକ୍ଷକ, ବ୍ରହ୍ମପୁର ଅବକାରୀ ଅଧୀକ୍ଷକ, ଜିଲ୍ଲା ନିବନ୍ଧକ ବିଶ୍ବମ୍ଭର ରଥ, ଭୂ ଅର୍ଜନ ଅଧିକାରୀ ତଥା  ଡେପୁଟି କଲେକ୍ଟର ରାଜସ୍ୱ ରାଜ କିଶୋର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ  ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ