ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଏଥିରେ ଅଧ୍ୟକ୍ଷତା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ‘ଲିଙ୍ଗଗତ ସମାନତା ପାଇଁ ନୂତନ ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ମହିଳା ସଶକ୍ତୀକରଣର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଯୁକ୍ତିବିଦ୍ୟା ସମ୍ବଳିତ ନାରୀ ଶିକ୍ଷାକୁ ଆଗେଇ ନେବା ସହ ମହିଳାଙ୍କୁ ସମାନ ଅଧିକାର ପ୍ରଦାନରେ ହିଁ ଏହି ଦିବସ ପାଳନର ସାର୍ଥକତା ରହିଛି ବୋଲି ସେ କହିଥିଲେ । ଏନେଇ ପ୍ରତି ମହଲରୁ ଉଦ୍ୟମ ଜାରି ରଖିବାକୁ ଏସପି ଶ୍ରୀମତି ନାଥ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କାରଯୁକ୍ତ ସମାଜ ଗଠନ ଓ ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏଥିରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦ୍ୱାରା ମହିଳାଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ସେ ଆଲୋଚନା କରିଥିଲେ । କର୍ତ୍ତବ୍ୟ ପ୍ରତି ଯତ୍ନବାନ ହୋଇ ଶିକ୍ଷା ଓ ଚେତନା ଦ୍ୱାରା ନାରୀମାନେ ନିଜର ସ୍ଥିତି ସୁରକ୍ଷିତ ରଖିପାରିବେ ବୋଲି ଶ୍ରୀମତି ସାହୁ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ସ୍ମୃତିରଞ୍ଜନ ମଲ୍ଲିକ, ଡାକ୍ତର ରଞ୍ଜନ ନାୟକ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ତପନ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ଅଧିକାର ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ ଏଥିରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବାମଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଦର ସିଡିପିଓ ସୁଜାତା ପଟ୍ଟନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।