ପ୍ରସ୍ତାବିତ ବଳରାମଗଡି ମାଛ ବନ୍ଦର ସ୍ଥାନାନ୍ତର ପାଇଁ ପ୍ରଭାବିତ ପରିବାରଙ୍କ ଗୁହାରି
ବାଲେଶ୍ୱର, (ସରୋଜ ପଣ୍ଡା):ବଳରାମଗଡି ଠାରେ ବୃହତ ମାଛ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପ୍ରସ୍ତାବିତ ସ୍ଥାନରେ ବସବାସ ସହ ଜୀବିକା ନିର୍ବାହ କରୁଥିବା ୨୦୦ରୁ ଉର୍ଦ୍ଧ୍ୱ ପରିବାର ପ୍ରକଳ୍ପକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ପ୍ରଭାବିତ ପରିବାରର ସଦସ୍ୟଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ବନ୍ଦର ପ୍ରକଳ୍ପ ଦ୍ୱାରା ସେମାନଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବିପନ୍ନ ହେବାକୁ ଯାଉଥିବା ଅଭିଯୋଗ କରିଛନ୍ତି । ବଳରାମଗଡିରେ ମାଛ ବନ୍ଦର ପ୍ରକଳ୍ପକୁ ସେମାନେ ସ୍ୱାଗତ ଜଣାଇବା ସହ ପ୍ରଭାବିତ ପରିବାରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ଶ୍ରୀକୋଣା ମୌଜାର ୩୬୦୬ନଂ ପ୍ଲଟରେ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ମାଛ ଧରା ପାଇଁ ବ୍ୟବହୃତ ସାମଗ୍ରୀ ଓ ଶୁଖୁଆ ବ୍ୟବସାୟରେ ଜଡିତ ବଳରାମଗଡି, ମିର୍ଜାପୁର ଓ ନାଉପାଳଗଡିର ୨ଶହରୁ ଉର୍ଦ୍ଧ୍ୱ ପରିବାର ପ୍ରଭାବିତ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ପ୍ରଭାବିତ ହେଉଥିବା ଗରିବ ପରିବାରଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପ୍ରକଳ୍ପକୁ ପ୍ରସ୍ତାବିତ ସ୍ଥାନର ଦକ୍ଷିଣ ଭାଗରେ ଥିବା ପର୍ଯ୍ୟାପ୍ତ ସରକାରୀ ଜମିକୁ ସ୍ଥାନାନ୍ତର ପାଇଁ ସେମାନେ ନିବେଦନ କରିଛନ୍ତି । ସ୍ଥାନାନ୍ତର ଯୋଗୁଁ ପ୍ରକଳ୍ପ ନିର୍ମାଣ ଓ ପରିଚାଳନା ଉପରେ କୌଣସି କୁପ୍ରଭାବ ପଡୁନଥିବା ବେଳେ ଗରିବ ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଯୁକ୍ତି ଦର୍ଶାଇଛନ୍ତି । ସମ୍ପୃକ୍ତ ସ୍ଥାନରେ ପ୍ରଭାବିତ ପରିବାରମାନେ ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବସବାସ କରୁଥିବା ବେଳେ ରାଜସ୍ୱ ବିଭାଗରେ ସେମାନେ ଆଜି ପର୍ଯ୍ୟନ୍ତ ଖଜଣା ସହ ବିଦ୍ୟୁତ ଦେୟ ଓ ଜଳ କର ଭଳି ଅନ୍ୟାନ୍ୟ ଟିକସ ଦେଇ ଆସୁଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବାରୁ ସମସ୍ତ ପରିବାର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନର୍ଭୁକ୍ତ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କ ଦୁଃଖର ପୁନଃର୍ବିଚାର ସହ ଗ୍ରାମସଭାରେ ବିଚାର ସହ ପ୍ରକଳ୍ପକୁ ସ୍ଥାନାନ୍ତର ପାଇଁ ପ୍ରଭାବିତ ପରିବାରର ସଦସ୍ୟମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସେମାନେ ଏକ ଦାବୀପତ୍ର ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦିନା ମାଝୀ, ସୀତା ସୋରେନ, କୁନୀ ମୁର୍ମୁ, ଗଙ୍ଗା ମୁର୍ମୁଙ୍କ ସମେତ ପ୍ରଭାବିତ ହେବାକୁଥିବା ପରିବାରର ବହୁ ସଦସ୍ୟ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।


