ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁୟାରୀ ୧୦ ତାରିଖରୁ ୧୧୮ଟି ମଣ୍ଡିରେ ଧାନକ୍ରୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ମଣ୍ଡିଗୁଡିକର ଭିତ୍ତିଭୂମି ଓ ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୋଗୀ ଯନ୍ତ୍ରପାତି ଗୁଡିକର ବ୍ୟବସ୍ଥା କରାଯାଇଛି । ମଣ୍ଡିଗୁଡିକ ସପ୍ତାହରେ ୩ଦିନ ଧାନ ସଂଗ୍ରହ କରିବେ ଓ ସକାଳ ୮ ଘଟିକା ରୁ ଦିନ ୨ ଘଟିକା ମଧ୍ୟରେ ଧାନ ସଂଗ୍ରହ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ୨୪ ଘଣ୍ଟା ରୁ ୭୨ ଘଣ୍ଟା ମଧ୍ୟରେ ଟୋକନ ଧାରୀ ଚାଷୀଙ୍କ ଅକାଉଣ୍ଟକୁ ସିଧାସଳଖ ଅର୍ଥ ରାଶି ପ୍ରେରଣ କରାଯିବ । ଚଳିତ ବର୍ଷ ୪୪,୦୧୬ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ବୈଧ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ରହିଛି ୪୪,୦୦୪ଜଣ । କେନ୍ଦ୍ରାପଡା ଜିଲ୍ଲାରେ ଏ ବର୍ଷ ପୂର୍ବ ବର୍ଷ ପରି ସାଟେଲାଇଟ ଯାଞ୍ଚ ମାଧ୍ୟମରେ ପଞ୍ଜୀକୃତ ଜମିରେ ଚାଷ ହୋଇଛିକି ନାହିଁ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି ଫଳରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ କ୍ଷୁଦ୍ର, ମଧ୍ୟମ ଚାଷୀମାନଙ୍କଠାରୁ ଟୋକନ ମାଧ୍ୟମରେ ଧାନ ସଂଗ୍ରହ କରାଯାଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମଣ୍ଡିଗୁଡିକୁ ତନଖି କରି ଏହାର ଭିତ୍ତିଭୂମିକୁ ସଜାଡିବାକୁ ବରିଷ୍ଠ ଏଆରସିଏସଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଧାନ ସଂଗ୍ରହ ପାଇଁ ଆରଏମସି ମାଧ୍ୟମରେ ପ୍ରଚାର ପ୍ରସାର କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡାରେ ଚାଷୀମାନେ ବନ୍ୟା,ବାତ୍ୟା ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି । ସୁନିୟନ୍ତ୍ରିତ ବ୍ୟବସ୍ଥା, ସମସ୍ତଙ୍କ ସହଯୋଗ ଓ ସହଭାଗୀତାରେ ଧାନ ସଂଗ୍ରହ କରିପାରିଲେ କ୍ଷୁଦ୍ର/ମଧ୍ୟମ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ ଏବଂ ସଠିକ ଢଙ୍ଗରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରିଲବ୍ଧ ଅର୍ଥ ଯାଇପାରିବା ସହ ସରକାରଙ୍କ ମୂଳ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ରାଜନଗର ଓ କେନ୍ଦ୍ରାପଡ଼ା ବିଧାୟକ ମତ ପ୍ରକାଶ କରିଥିଲେ । ରଙ୍ଗଣୀ ଓ ତାଳଚୁଆରେ ଧାନମଣ୍ଡି ଖୋଲିବାକୁ ରାଜନଗର ବିଧାୟକ ଧୃବ ଚରଣ ସାହୁ ପ୍ରଶାସନ ନିକଟରେ ପ୍ରସ୍ଥାବ ରଖିଥିଲେ । ଚଳିତ ବର୍ଷ ପ୍ରଥମ କିସ୍ତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୮୫,୩୦୮ ମେଟ୍ରିକ ଟନ ଧାନ ଚାଷୀଙ୍କଠାରୁ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୨୪-୨୫ ଖରିଫ ବର୍ଷ ପାଇଁ ଧାନ ସଂଗ୍ରହ ନିମନ୍ତେ ରାଜ୍ୟ ସରକାର ତା.୦୧.୧୧.୨୦୨୪ରୁ ତା.୩୧.୦୩.୨୦୨୫ ସମୟ ଧାର୍ଯ୍ୟ କରିଛନ୍ତି । ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ପାଇଁ ୧୧୮ଜଣ ମଣ୍ଡି ନୋଡଲ ଅଫିସର, ୩୮ଜଣ ମଣ୍ଡି ସୁପରଭାଇଜିଙ୍ଗ୍ ଅଫିସର ନିଯୁକ୍ତି ଦିଆଯାଇଛି । ଆସନ୍ତା ତା.୨୦.୧୧.୨୦୨୪ରିଖ ଠାରୁ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ବ୍ଲକ ସ୍ତରରେ ବିଡିଓମାନେ ନୋଡାଲ ଅଫିସର ହୋଇଥିବା ବେଳେ ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ନୋଡାଲ ଅଫିସର ଭାବେ କାର୍ଯ୍ୟକରି ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୧୧୮ଜଣ ପ୍ୟାକସ୍ ସେକ୍ରେଟାରୀ ଓ ୧୧୮ଜଣ ଡିଇଓଙ୍କୁ ଧାନ ସଂଗ୍ରହର ସମସ୍ତ କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ମଣ୍ଡିରେ ଧାନ ସଂଗ୍ରହ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ଜଣ କ୍ୱାଲିଟି ଆନାଲାଇଜରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଅତିରିକ୍ତ ଭାବେ ୧୫ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସେହିଭଳି ଜିଲ୍ଲାରେ ୪ଟି ଚାଉଳ ସଂଗ୍ରହକେନ୍ଦ୍ର ଥିବା ବେଳେ ଅତିରିକ୍ତ ଭାବେ ପଟ୍ଟାମୁଣ୍ଡାଇରେ ଗୋଟିଏ ଓ ମାର୍ଶାଘାଇ କିମ୍ବା ମହାକାଳପଡ଼ାରେ ଆଉ ଗୋଟିଏ ଚାଉଳ ସଂଗ୍ରହକେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଟୋକନ ଅନୁସାରେ ଧାନ କିଣିବା, ଚାଷୀଙ୍କୁ ମିଲକୁ ଯାଇ ଧାନ ବିକ୍ରି ନକରିବା, କଟନୀ ଛଟନୀ ବନ୍ଦ କରିବା, ୮ଶହ ଟଙ୍କା ଅତିରିକ୍ତ ଏମଏସପି ବୃଦ୍ଧି ସମ୍ପର୍କରେ ସଚେତନ କରାଇବା, ଟୋକନର ଭ୍ୟାଲିଡିଟି ସମ୍ପର୍କରେ ଅବଗତ କରାଇବା, ସୋସାଇଟି ଫଳକରେ ଟୋକନ ଧାରୀ ପଞ୍ଜୀକୃତ ଚାଷୀଙ୍କ ନାମ ପ୍ରକାଶ କରିବା, ମଣ୍ଡି ଅନୁଯାଇ ଚାଷୀମାନଙ୍କ ନାମ ସମିତିର ସମ୍ପାଦକ ଓ ମିଲର ପ୍ରତିନିଧିମାନେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଧାନ ସଂଗ୍ରହ ଯେପରି ସଠିକ ଢଙ୍ଗରେ ନିର୍ବାହ ହୋଇପାରିବ ସେଥିପ୍ରତି ଯତ୍ନଶୀଳ ହେବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜନଗର ବିଧାୟକ ଶ୍ରୀ ସାହୁ, କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ବରିଷ୍ଠ ଏଆରସିଏସ ସନ୍ତୋଷ କୁମାର ଦାସ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲାସ୍ତରୀୟ ଅଧିକାରୀ, ମାପ ଓଜନ ନିରିକ୍ଷକ, ଆରଏମସିର ପଦାଧିକାରୀ, ସୋସାଇଟିର ସମ୍ପାଦକ, ମିଲର, ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ ।