ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ସମାରୋହ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର କେନ୍ଦ୍ରାପଡା ଜଳସମ୍ପଦ ବିଭାଜନ ଆନୁକୁଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ସାରଙ୍ଗ ପଡିଆରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ସମାରୋହ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଉଦଘାଟନ କରି କହିଥିଲେ ଯେ ଚାଷୀର ଫସଲକୁ ସଂରକ୍ଷଣ ଠାରୁ ଆରମ୍ଭକରି ବିକ୍ରୀବଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ । କେତେକ ଯୁବକ ଚାକିରୀ ଛାଡି ଚାଷକାର୍ଯ୍ୟ ଆଡକୁ ମୁହାଁଉଥିବା ଦେଖାଯାଇଛି । ଯାହା ଅତ୍ୟନ୍ତ ଶୂଭ ସୂଚନା ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ତଥାପି ଚାଷୀ ଓ ଚାଷ ପ୍ରତି ଆମକୁ ଦୃଷ୍ଟିଦେଇ ପାଣି ପଂଚାୟତକୁ ଅଧିକ କ୍ରୀୟାଶୀଳ କରିବାକୁ ପଡିବ । ଚାଷୀମାନଙ୍କ ଭାଗିଦାରୀରେ ଚାଷଜମିକୁ ପାଣି ମଡାଇବା,ଜଳର ସଂରକ୍ଷଣ ଓ ସୁବିନିଯୋଗ ପାଇଁ ପାଣି ପଂଚାୟତ ଗଠନ କରାଯାଇଛି । ସେହି ଲକ୍ଷ୍ୟକୁ ପୁରଣ କରିବାକୁ ପଡିବ ବୋଲି ବିଧାୟକ ଶ୍ରୀ ବେହେରା ମତପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ କେନ୍ଦ୍ରାପଡା ଭଳି ଏକ କୃଷି ପ୍ରଧାନ ଜିଲ୍ଲାର ୮୬ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଆମ ଜିଲ୍ଲା ସାରା ଭାରତବର୍ଷରେ ଏକ ଜଳକ୍ଳିଷ୍ଟ ଜିଲ୍ଲା ଭାବେ ଚିହ୍ନଟ ହୋଇଥିବାରୁ ଆମକୁ ଜଳର ସଂରକ୍ଷଣ ଓ ସୁବିନିଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପାଣି ପଂଚାୟତ ଗୁଡିକ ରାଜ୍ୟ ସରକାର ଓ ଚାଷୀଙ୍କ ମଧ୍ୟରେ ଉତ୍ତମ ସଂଯୋଗ ସ୍ଥାପନ କରି ସରକାରଙ୍କ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ଚାଷୀମାନଙ୍କୁ ସଚେତନ କରିବା ଉଚିତ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ ଟଙ୍କିକିଆ ଚାଉଳ ଯୋଗୁଁ ଚାଷୀମାନେ ଚାଷ ପ୍ରତି ବିମୂଖ ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଅତିଥି ଭାବେ ଯୋଗଦେଇ ଓଡିଶା କିଭଳି କୃହି କ୍ଷେତ୍ରରେ ଅଗ୍ରଗଣ୍ୟ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ପ୍ରୟାସ ଜାରି ରଖଥିବା ବେଳେ ଆମ ଜିଲ୍ଲାରେ ସଚେତନତା ଅଭାବରୁ କୃଷି କ୍ଷେତ୍ରରେ ଜିଲ୍ଲା ପଛରେ ପଡିଛି । ଅନ୍ୟମାନଙ୍କ ମଧ୍ୟରେ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ,ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ନିର୍ବାହୀ ଯନ୍ତ୍ରୀ ଇଂ ରାଉତ କହିଥିଲେ ଯେ ଜଳର ସୁଷମ ବଂଟନ ପାଇଁ ଏଭଳି ପାଣି ପଂଚାୟତ ପକ୍ଷ ପାଳନ କରାଯାଉଛି । ଜିଲ୍ଲାରେ ୧ଲକ୍ଷ ୫୨ହଜାର ହେକ୍ଟର ଚାଷଜମି ରହିଥିବା ବେଳେ ୧ଲକ୍ଷ ୯୧ହଜାର ଚାଷୀ ଅଛନ୍ତି । କିନ୍ତୁ ସେଥିମଧ୍ୟରୁ ମାତ୍ର ୪୫ହଜାର ୩୭ହେକ୍ଟର ଚାଷଜମିକୁ ଜଳସେଚନ ବିଭାଗ ପକ୍ଷରୁ ପାଣି ଯୋଗାଇ ଦିଆଯାଇପାରୁଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାସ୍ଥଳରେ କୃଷି, ମତ୍ସ୍ୟ, ଉଦ୍ୟାନକୃଷି ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଷ୍ଟଲମାନ ଖୋଳାଯାଇଥିଲା । ଶେଷରେ ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ