ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଦାସଙ୍କ ପରଲୋକ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସଙ୍କ ଆଜି ୯୫ବର୍ଷ ବୟସରେ ତାଙ୍କ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର ଗ୍ରାମସ୍ଥିତ ବାସଭବନରେ ସକାଳ ୮ଟା ୫ମିନିଟ ସମୟରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସଂଗ୍ରାମୀ ସଙ୍ଘ ଓ ଦାୟାଦ ସଙ୍ଘର ଅଭୂତ କ୍ଷତି ଘଟିଲା । ସେ ଥିଲେ ସଂଗ୍ରାମୀ ସଙ୍ଘର ଉଜ୍ଜ୍ୱଳ ନକ୍ଷତ୍ର, ଯାହା ଆଜି ଅସ୍ତ ହୋଇଗଲା ବୋଲି ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ସଙ୍ଘର ସମ୍ପାଦକ ଗୋପାଳକୃଷ୍ଣ ଜେନା । ୧୯୨୬ ମସିହା ସେପ୍ଟେମ୍ବରମାସ ୯ତାରିଖରେ ଅଙ୍ଗୁଳାଇର ଜରିପଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ସଂଗ୍ରାମୀ ନକୁଳ ପିତା ହରିହରଙ୍କ ଠାରୁ ଦେଶପ୍ରେମର ପ୍ରେରଣା ପାଇଥିଲେ । ମହାତ୍ମାଗାନ୍ଧୀଙ୍କ ଡାକରାରେ ସ୍ୱାଧୀନତା ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ବାନରସେନାରେ କାର୍ଯ୍ୟ କରୁଥିବା ସମୟରେ ୧୯୪୨ମସିହାରେ ଅଙ୍ଗୁଳାଇ ଡାକଘର ପୋଡି ଦେଇଥିଲେ । ଏହାପରେ ଇଂରେଜଙ୍କ ନଜରରୁ ବଂଚିନପାରି ଶେଷରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ବନ୍ଦି ଜୀବନ କଟାଇଥିଲେ । ଜେଲରୁ ଫେରି ପରବର୍ତ୍ତି ସମୟରେ ନକୁଳ ନବକୃଷ୍ଣ ଚୈାଧୁରୀ ଓ ମା’ ରମାଦେବୀଙ୍କ ସହ କାମ କରିବା ପରେ ମନମୋହନ ଚୈାଧୁରୀଙ୍କ ସହ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ଯାଇ ନାରାୟଣ ପାଟଣାରେ ଭୁଦାନ ଆନ୍ଦୋଳନରେ ଯୋଗଦେଇ କାର୍ଯ୍ୟ କରିଥିଲେ । ସେ ଜଣେ ନିଷ୍ଠାପର, ଧର୍ମପରାୟଣ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ କାର୍ଯ୍ୟ କରୁଥିବା ସୂର୍ଗତ ଦାସ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଶଯ୍ୟାସାୟୀ ଥିଲେ । ଆଜି ସକାଳ ପ୍ରାୟ ୯ଟା ସମୟରେ ତାଙ୍କ ଗୁଲନଗରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ପାଇ ଜିଲ୍ଲାପାଳ ସମର୍ଥ ବର୍ମା, ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ତାଙ୍କ ସୁଜାନଗରସ୍ଥିତ ବାସଭବନରେ ପହଁଚି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସଂଗ୍ରାମୀ ଅନିଲ ଚନ୍ଦ୍ର ଜେନା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସଂଗ୍ରାମୀ ବିମ୍ବାଧର ମୁଦୁଲି, ସ୍ୱାଧୀନତା ସଂଗ୍ରାମୀଦାୟାଦ ସଙ୍ଘ ସମ୍ପାଦକ ବିଚିତ୍ରାନନ୍ଦ ନାୟକ, ସଞ୍ଜୟ କୁମାର ଜେନା,ପଦ୍ମନାଭ ଦାସ, ରମେଶ ଚନ୍ଦ୍ର ଦାସ, କୁଳମଣି ରାଉତ, ତୁଷାରକାନ୍ତ ଘୋଷ, ବାଉରୀବନ୍ଧୁ ଦାସ,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, ନଗର ବିଜେଡି ସଭାପତି ଯଯାତୀକେଶରୀ ମହାନ୍ତି, ତ୍ରିଲୋଚନ ଦାସ, ଗୁଲନଗର ସରପଂଚ ପୀତବାସ ବେହେରା,ଶିକ୍ଷାବୀତ ଶୁଭାଂଶୁ କୁମାର ଦାସ, ଆଇନଜୀବି ପ୍ରଦୀପ କୁମାର ଦାଶ, ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ଡଃ.ବାସୁଦେବ ଦାସ, ବିଧାୟକଙ୍କ ପ୍ରତିନିଧି ଶିବପ୍ରସାଦ ଭଳ, କିଶୋର ପ୍ରଧାନ,ଆଲୋକ ସାହୁ ପ୍ରମୁଖ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ବିଜୟ ଦାସ, ଅବନି ଦାସ, ଅବିନାଶ ଦାସ, ଝିଅ ମୀନାକ୍ଷୀ ଓ ମାନିନୀ ପୁତ୍ରବଧୁ ପ୍ରଣତି ଓ ଜାହ୍ନବୀ, ଜ୍ୱାଇଁ ଶଶୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଅବିନାଶ ମୁଖାଗ୍ନି ଦେଇଥିଲେ । ପୁରୀ ସ୍ୱର୍ଗଦ୍ୱାରକୁ ତାଙ୍କ ମରଶରୀରକୁ ନିଆଯିବା ସମୟରେ ଭୂବନେଶ୍ୱରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ଭବନରେ କିଛି ସମୟ ସୂର୍ଗତ ଦାସଙ୍କ ମର ଶରୀରକୁ ରଖାଯାଇଥିଲା । ସେଠାରେ ବହୁ ରାଜନେତା, ବିଧାୟକ,ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ତାଙ୍କ ମର ଶରୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ସୂର୍ଗତ ଦାସଙ୍କ ବିୟୋଗରେ ବିଧାୟକ ଶଶୀଭୂଷଣ ବେହେରା,ବିଧାୟକ ଧ୍ରୁବ ଚରଣ ସାହୁ,ବିଧାୟକ ଅତନୁସାବ୍ୟସଚୀ ନାୟକ,ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ