ଜି-୨୦ ବାଣିଜ୍ୟମନ୍ତ୍ରୀ ବୈଠକ ବିଭିନ୍ନ ଦେଶକୁ ଔଷଧ ଯୋଗାଣ ଓ ଚିକିତ୍ସକ ପ୍ରେରଣ ପାଇଁ ସହଜ ବ୍ୟବସ୍ଥା ଉପରେ ଭାରତର ଗୁରୁତ୍ୱ

ଉଚ୍ଚମାନର ଔଷଧ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ଓ ଅନ୍ୟକୁ ଯୋଗାଇବାକୁ ସକ୍ଷମ : ପିୟୁଷ ଗୋଏଲ
ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଏକ ବିଶ୍ୱସ୍ତରୀୟ ମିଳିତ ମୁକାବିଲା ବ୍ୟବସ୍ଥା ସୃଷ୍ଟି ଏବଂ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧପତ୍ର ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଲଭ ତଥା ସହଜ କରିବାକୁ ସବୁଦେଶ ମିଳିତଭାବେ କାମ କରିବାପାଇଁ ଭାରତ ଆହ୍ୱାନ ଜଣାଇଛି । ଏଥିପାଇଁ ଔଷଧପତ୍ର ପରିବହନ, ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଜ ଗମନାଗମନ ନିମନ୍ତେ ସବୁଦେଶ ନିଜ ନିଜ ସୀମାନ୍ତରେ ଅନୁକୂଳ ବ୍ୟବସ୍ଥା ଗ୍ରହଣ କରିବାକୁ ଭାରତ ପ୍ରସ୍ତାବ ଦେଇଛି । ଜି-୨୦ ବାଣିଜ୍ୟ ଓ ପୁଞ୍ଜି ନିବେଶ ବ୍ୟାପାରମନ୍ତ୍ରୀମାନଙ୍କର ବୈଠକରେ ଭାରତର ବିଭାଗୀୟ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ ସାମ୍ପ୍ରତିକ ଆହ୍ୱାନର ମୁକାବିଲା ପାଇଁ ସବୁ ସଦସ୍ୟ ରାଷ୍ଟ୍ର ନିଜର ଆନ୍ତର୍ଜାତିକ ଅଙ୍ଗୀକାରକୁ ଚରିତାର୍ଥ କରିବାର ସମୟ ଆସିଛି । ଏଥିପାଇଁ ମିଳିତ ଉଦ୍ୟମ, ସୀମାନ୍ତରେ ଔଷଧପତ୍ର ପରିବହନ ଏବଂ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଆତଯାତ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ସୃଷ୍ଟି କରବା ଆବଶ୍ୟକ । ସେ କହିଛନ୍ତି ଯେ ଅନେକ ଆହ୍ୱାନ ସତ୍ୱେ ଭାରତ ଏବେ ବିଶ୍ୱର ୧୯୦ଟି ଦେଶକୁ ଉଚ୍ଚମାନର ଔଷଧପତ୍ର, ସାମଗ୍ରୀ ଓ ଚିକିତ୍ସା ଉପକରଣ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ସମର୍ଥ । ଏ କ୍ଷେତ୍ରରେ ଉନ୍ନତମାନର ନିୟାମକ ବ୍ୟବସ୍ଥା, ଗବେମଷଢ଼ଣା ଓ ଉନ୍ନୟନ ଜନିତ ସହଯୋଗ ବଳରେ ଭାରତ ତାହାର ଉପଲବ୍ଧି ଓ ସଫଳତାକୁ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯୋଗାଇଦେବାକୁ ସମର୍ଥ ଓ କରୋନା ଭଳି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ତେବେ ଏଥିପାଇଁ ଅନ୍ୟାନ୍ୟ ଦେଶର ସହଯୋଗର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂରକରି ଗରିବ ଓ ଅନଗ୍ରସର ରାଷ୍ଟ୍ରଗୁଡ଼ିକର ଲୋକଙ୍କ ଜୀବନ, ଜୀବିକା, ଖାଦ୍ୟପାନୀୟ ଓ ପୁଷ୍ଟିସାଧନ ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ବିଶ୍ୱର ଯେଉଁସବୁ ରାଷ୍ଟ୍ର କରୋନା ବିରୋଧରେ ସଂଗ୍ରାମ କରୁଛନ୍ତି ସେମାନଙ୍କ ପ୍ରତି ଶ୍ରୀ ଗୋଏଲ ଭାରତ ପକ୍ଷରୁ ସମର୍ଥନ ଜ୍ଞାପନ କରିବା ସହ ଏହି କାର୍ଯ୍ୟରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କ କାର୍ଯ୍ୟ ମହାମାରୀ ରୋକିବାରେ ମୌଳିକ ଓ ଅତ୍ୟାବଶ୍ୟକ ସେବାକୁ ବଳମାଳି କରିଛି ବୋଲି ସେ କହିଛନ୍ତି । ଶ୍ରୀ ଗୋଏଲ କହିଛନ୍ତି ଯେ ଉଭୟ ବିକାଶଶୀଳ ଓ ଅନଗ୍ରସର ରାଷ୍ଟ୍ରମାନେ ଏଭଳି ସଂକଟ ସମୟରେ ଗୁରୁତର ସମସ୍ୟାର ସମ୍ମୁଖୀନ । କାରଣ ସେମାନଙ୍କ ପାଖରେ ମହାମାରୀ ବିରୋଧରେ ଲଢେଇ କରିବାକୁ ଆବଶ୍ୟକ ସମ୍ବଳ ଓ ସାଧନ ନାହିଁ । ଉଭୟ ବୈଷୟିକ ଦକ୍ଷତା ଓ ଭିତିଭୂମି ଅଭାବ ଜନିତ ସମସ୍ୟା ଏସବୁ ଦେଶରେ ରହିଛି । ସେ କହିଛନ୍ତି ଯେ କରୋନା ଭଳି ଅଭୂତପୂର୍ବ ଆହ୍ୱାନର ସମ୍ମୁଖୀନ ହେବାପାଇଁ ସମଗ୍ର ବିଶ୍ୱ ଏକାଠି ହୋଇ ଅଭିନବ ଓ ଅତିକ୍ରିୟ ନୀତିରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଆମର ମିଳିତ କାର୍ଯ୍ୟରେ ବହୁମାସିକ ସ୍ୱାସ୍ଥ୍ୟରକ୍ଷା ଓ ବିକାଶର ଭାବନା ଗୁରୁତ୍ୱ ପାଇବା ଆବଶ୍ୟକ । ବାଣିଜ୍ୟଠାରୁ ଆରମ୍ଭ କରି ଅନ୍ୟସବୁ କ୍ଷେତ୍ରରେ ଏହି ବିଚାରର ଗୁରୁତ୍ୱ ରହିଛି । ସାମଗ୍ରୀ ଓ ସେବା ଯୋଗାଣ ସହ ଖାଦ୍ୟ ଓ ଔଷଧପତ୍ରର ପରିବହନ ଓ ଯୋଗାଣ ଯେପରି ଅବ୍ୟାହତ ରହେ ତାହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ । ଏ କ୍ଷେତ୍ରରେ ଜାତୀୟ ଆବଶ୍ୟକତାକୁ ପୂରଣ କରିବା ସହ ଅନ୍ୟମାନଙ୍କ କଥା ମଧ୍ୟ ବିଚାରକୁ ନେବାକୁ ହେବ । ଏଥିପାଇଁ ସ୍ୱତନ୍ତ୍ର ବାଣିଜ୍ୟ ବ୍ୟବସ୍ଥା ଓ ଜରୁରୀକାଳୀନ ନୀତି ଅବଲମ୍ବନ କରି ସଂକଟ ସମୟରେ ଆବଶ୍ୟକସ୍ଥଳେ ସାମୟିକ ଭାବେ ସୀମାଶୁଳ୍କ, ଅନୁମତିପତ୍ର ଓ ଅନ୍ୟାନ୍ୟ ନିୟମକୁ କୋହଳ ବା ଉଚ୍ଛେଦ କରିବମାକୁ ସେ ପ୍ରସ୍ତାବ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଜରୁରୀକାଳୀନ ଆବଶ୍ୟକତା ପୂରଣ ପାଇଁ ବିଶ୍ୱର ଯେକୌଣସି ପ୍ରାନ୍ତରେ ଚିକିତ୍ସକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ମୁତୟନ ସହିତ ଔଷଧପତ୍ର, ଚିକିତ୍ସା ସାମଗ୍ରୀ ଆଦି ପହଂଚାଇବାକୁ ଆନ୍ତର୍ଜାତିକ ସ୍ତରରେ ଏକ ନିୟମ ପ୍ରଣୟନ ହେବାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ଏକ ବିଶ୍ୱଚୁକ୍ତି ସ୍ୱାକ୍ଷର ସପକ୍ଷରେ ସେ ଉଚ୍ଛ ଦେଇଛନ୍ତି । ବାଣିଜ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ନେତାମାନଙ୍କର ଇଛା ଓ ଅନୁସାରେ ଏହି ମହାମାରୀ ବିରୋଧରେ ଲଢେଇ କରି ବିଶ୍ୱ ବାଣିଜ୍ୟ କାରବାର ଓ ଆନ୍ତର୍ଜାତିକ ଅର୍ଥନୀତିକୁ ସୁରକ୍ଷିତ କରିବା । ଆହୁରି ମଧ୍ୟ ବିଶ୍ୱ ବଜାରର ଅସ୍ଥିରତା ଓ ଅନ୍ୟାନ୍ୟ ସମ୍ଭାବ୍ୟ ଆକ୍ରମଣରୁ ପୃଥିବୀର ଅର୍ଥନୀତିକୁ ସୁରକ୍ଷିତ କରିବାପାଇଁ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ କରିବା, ଏହାଦ୍ୱାରା ଆମେ ଏକ ନ୍ୟାୟୋଚିତ, ସ୍ଥିର ଓ ନିୟମ ଆଧାରିତ ବିଶ୍ୱବାଣିଜ୍ୟ କାରବାର ବ୍ୟବସ୍ଥା ତିଆରି କରିପାରିବା । ଏଭଳି ବ୍ୟବସ୍ଥା ଦ୍ୱାରା ସମସ୍ତେ ଉପକୃତ ହେବେ ଏବଂ ସବୁପକ୍ଷଙ୍କ ସ୍ୱାର୍ଥ ସୁରକ୍ଷିତ ରହିପାରିବ । ଏଥିରେ ମାନବବାଦୀ ବିଚାର ପ୍ରୋତ୍ସାହିତ ହେବ ଏବଂ ବିଶ୍ୱ ଭାତୃତ୍ୱ ପ୍ରକାଶ ପାଇବା ସହ ଦେଶଦେଶ ମଧ୍ୟରେ ସୁସଂପର୍କ ଓ ସହଯୋଗ ବଢିବ । ପରସ୍ପରର ଭଲମନ୍ଦବେଳେ ସମସ୍ତେ ଛିଡ଼ା ହେବେ । ସର୍ବୋପରି ଏହା ୨୦୩୦ର ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲରେ ସହାୟକ ହେବ । ଜି-୨୦ ବାଣିିଜ୍ୟ ଓ ନିବେଶ ମନ୍ତ୍ରୀ ଓ ଅତିଥି ସଦସ୍ୟମାନେ ଏହି ବୈଠକରେ ନିଜ ନିଜର ବଜାର ଉନ୍ମୁକ୍ତ ରଖିବା ସହ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ଚଳାଇ ରଖିବାକୁ ନିଷ୍ପତି ନେଇଛନ୍ତି । ଏହି ବୈଠକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା । ଏଥିରେ କରୋନାକୁ ଏକ ବିଶ୍ୱ ମହାମାରୀ ଓ ଆନ୍ତର୍ଜାତିକ ଆହ୍ୱାନରୂପେ ସଦସ୍ୟମାନେ ବର୍ଣ୍ଣନା କରିବା ସହ ସବୁ ଦେଶ ଏକାଠି ହୋଇ ଏହାର ମୁକାବିଲା କରିବା ସପକ୍ଷରେ ମତ ଦେଇଥିଲେ । ଏକ ଆନ୍ତର୍ଜାତିକ ଆହ୍ୱାନର ସଫଳ ମୁକାବିଲା ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପର ଆବଶ୍ୟକତା ଥିବା କଥା ସଦସ୍ୟମାନେ କହିଥିଲେ । ବୈଠକ ଶେଷରେ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ମାନବ ଜୀବନର ସୁରକ୍ଷା ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟର ବିଶେଷ ଗୁରୁତ୍ୱ ରହିଛି । ମାନବ ସମାଜର ସୁରକ୍ଷା, ବିଶ୍ୱ ବାଣିଜ୍ୟର ବିକାଶ, ଆର୍ଥିକ ସ୍ଥିତିରେ ଉନ୍ନତି, ବିଘ୍ନିତ ଅର୍ଥନୀତିର ସୁଧାର, ନିରନ୍ତର, ସୁଷମ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ଦୃଢ ଭିତିଭୂମି ନିର୍ମାଣର ଆବଶ୍ୟକତା ରହିଛି । କରୋନା ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ଏଭଳି ଭିତିଭୂମି ବିଶେଷ ସହାୟକ ହୋଇପାରିବ । ଏଥିରେ ଆହୁରି କୁହାଯାଇଛି ଯେ କୋଭିଡ-୧୯ର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ଜରୁରୀ ପଦକ୍ଷେପଗୁଡ଼ିକୁ ଦରକାର ପଡ଼ିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ନିୟମ ଅନୁସାରେ ବୈଧ କରି ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରେ । ତା ନ ହେଲେ ଏସବୁ କଟକଣାକୁ ଅଯଥାରେ ଅଧିକକାଳ ଲାଗୁ କରି ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବାର ଆବଶ୍ୟକତା ନାହିଁ । ଏବେ ବିଶ୍ୱର ସବୁ ଦେଶକୁ ବିନା ବାଧା ଓ ପ୍ରତିବନ୍ଧକରେ ଜରୁରୀ ଔଷଧପତ୍ର, ଚିକିତ୍ସା ଉପକରଣ, ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ, କୃଷିଜାତ ଦ୍ରବ୍ୟ, ସେବା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣକୁ ଅବ୍ୟାହତ ରଖିବାକୁ ଆମେ ଉଦ୍ୟମ କରୁଛୁ । ସବୁ ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି । କୌଣସି ଦେଶର ସୀମାରେ ଏହା ଯେପରି ଅଯଥା ଅଟକି ନ ଯାଏ ସେ ଦିଗରେ ଉଦ୍ୟମ କରାଯାଉଛି ବୋଲି ବିବୃତିରେ କୁହାଯାଇଛି । ବିଶେଷକରି କରୋନା ସଂକ୍ରମଣ ଦୃଷ୍ଟିରୁ ସବୁ ଦେଶକୁ ଔଷଧପତ୍ର, ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଜି-୨୦ ଗୁରୁତ୍ୱ ଦେଇଛି । ଆବଶ୍ୟକସ୍ଥଳେ ଔଷଧପତ୍ରର ଅଧିକ ଉତ୍ପାଦନ ପାଇଁ ସଦସ୍ୟ ରାଷ୍ଟ୍ରମାନେ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ଏ କ୍ଷେତ୍ରରେ ଲାଭଖୋର ମନୋଭାବକୁ ନିରୁତ୍ସାହିତ କରାଯାଇ ଉଚିତ ମୂଲ୍ୟରେ ଲୋକଙ୍କୁ ଔଷଧପତ୍ର ଯୋଗାଣ ପାଇଁ ବୈଠକରେ ସ୍ଥିର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ