ଜୀଅଁନ୍ତା ଗଛରେ କଣ୍ଟା ପିଟି ଝୁଲାଯାଉଛି ବିଜ୍ଞାପନ ଫଳକ : ରାଜଧାନୀରେ ଗଛକୁ ଅକାଳ ମୃତ୍ୟୁଦଣ୍ଡ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସ୍ୱାର୍ଥପର ହୋଇଯାଇଛି ମଣିଷ । ଲାଭ ଓ ଲୋଭ ପାଇଁ ପ୍ରକୃତି ପ୍ରତି କରୁଛି ନିଷ୍ଠୁର ଆଚରଣ । ଏମିତି କ୍ରୁର ଆଚରଣର ଏକ ସଦ୍ୟତମ ନମୂନା ଦେଖିବାକୁ ମିଳୁଛି ସ୍ମାର୍ଟନଗରୀ ରାଜଧାନୀ ଭୁବନେଶ୍ୱରରେ । କେତେକ ଲୋଭୀ ବେପାରୀ ନିଜ ନିଜ କମ୍ପାନୀର ବିଜ୍ଞାପନ ଫଳକ ଝୁଲାଇବା ପାଇଁ ଜୀଅଁନ୍ତା ଗଛ ଦେହରେ ପିଟିଛନ୍ତି କଣ୍ଟା । ଲୁହାକଣ୍ଟାର କ୍ଷତରେ ଗଛ ସିନା ତାର ଯନ୍ତ୍ରଣା କହିପାରିଲାନି, ହେଲେ ତାର ଶୁଖିଲା ଡ଼ାଳ ସୂଚାଇ ଦେଉଛି କିଭଳି ହୋଇଛି ହାଲ୍ । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଶୈଳଶ୍ରୀ ବିହାର, ପଟିଆ, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳର ରାସ୍ତା ପାଶ୍ୱର୍ରେ ମଣିଷଙ୍କ ଏଭଳି ଭାବେ ନିର୍ଦ୍ଦୟତାର ସାମ୍ନା କରିଛି ଗଛ । କେଉଁ ଗଛରେ ଗୋପନରେ ମଦ ନିଶା ଛଡ଼ାନ୍ତୁ, ଗୁପ୍ତରୋଗ, ସେକ୍ସ ସମସ୍ୟାର ବିଜ୍ଞାପନ ତ ଆଉ କେଉଁଠି ଝୁଲୁଛି ଓଜନ ଓ ପେଟ କମାନ୍ତୁ, ସୁସ୍ଥ ରୁହନ୍ତୁ ଇତ୍ୟାଦିର ବିଜ୍ଞାପନ ତ ଆଉ କେଉଁ ଗଛରେ ଏକାଧିକ ଲୁହା କଣ୍ଟା ପିଟାଯାଇ ଗଛଟିକୁ ଅକାଳ ମୃତ୍ୟୁଦଣ୍ଡ ଦିଆଯାଇଛି । ଗୋଟିଏ ପଟେ ଗଛକୁ ଦେବତା କହି ପୂଜା କରାଯାଉଥିବା ବେଳେ ଅନ୍ୟପଟେ ଦେବଦୂତ ଯୀଶୁଙ୍କୁ କ୍ରୁଶବିଦ୍ଧ କଲାଭଳି ବୃକ୍ଷଦେବତାଙ୍କ ଛାତିରେ ପିଟାଯାଇଛି କଣ୍ଟା । ନିଜ ଲାଭ ପାଇଁ ସହରର ସବୁଜିମାକୁ ନଷ୍ଟ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ପ୍ରତି ସରକାର କଠୋର ଆଭିମୁଖ୍ୟ ପୋଷଣ କରନ୍ତୁ ବୋଲି ବିଶ୍ୱ ପରିବେଶ ଦିବସରେ ଦାବି କରିଛନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ କୁମାର ସାହୁ । ନଚେତ୍ ଏମାନେ ବୃକ୍ଷର ବଂଶ ବୁଡ଼ାଇଦେବେ । ଆମେ କହୁ ବୃକ୍ଷ ହିଁ ଜୀବନ, ବୃକ୍ଷ ଆମର ବନ୍ଧୁ, ଗଛଟିଏ ଲୋକଟିଏ । କିନ୍ତୁ ରାତି ପାହିଲେ ତା ପ୍ରତି କରୁ ଆତ୍ମଘାତୀ କାର୍ଯ୍ୟ । ଜଗନ୍ନାଥ ଭୂମିରେ ଯେଉଁଠି ଦାରୁ ରୂପରେ ମହାପ୍ରଭୁ ବିଦ୍ୟମାନ, ସେଠାରେ ଏ ବିଚାରରେ ବିଭ୍ରାଟ କାହିଁକି ବୋଲି ଶ୍ରୀ ସାହୁ ପ୍ରଶ୍ନ ଉଠାଇଛନ୍ତି । ବନ୍ୟଜନ୍ତୁ ସଂରକ୍ଷଣ ଆକ୍ଟ ପରି ବୃକ୍ଷମାନଙ୍କ ପ୍ରତି ସେମିତି ସରକାର ନିୟମ ଜାରି କରନ୍ତୁ ବୋଲି ସୁଶାନ୍ତ ଆଶାପ୍ରକଟ କରିଛନ୍ତି ।


