ଜୁଆ ଆଡ୍ଡାରେ ଚଢ଼ାଉ, ନଗଦ ୧୦,୫୫୦ ଟଙ୍କା ଏବଂ ୮ ଟି ମୋବାଇଲ୍ ଜବତ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କୁମାର ପୂର୍ଣ୍ଣମୀ ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଖେଳ ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି | ଗତ ଶୁକ୍ରବାର ମଧ୍ୟ ରାତ୍ରିରେ ବେଲଗୁଣ୍ଠା ଫାଣ୍ଡି ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଘୁ. ନୂଆଁ ଗାଆଁ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ସେଠାରୁ ନଗଦ ୧୦,୫୫୦ ଟଙ୍କା ସହ ଆଠଟି ମୋବାଇଲ୍ ଜବତ କରିବା ସହ ଛଅ ଜୁଆଡିଙ୍କୁ ଗିରଫ କରିଥିବା କଥା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି | ଗଞ୍ଜାମ ଜିଲ୍ଲାରେ କୁମାର ପୂର୍ଣ୍ଣମୀ ସମୟରେ ଜୁଆ ଖେଳକୁ ବହୁ ଲୋକ ଏକ ପ୍ରଥା ଭାବେ ଗ୍ରହଣ କରିଥାନ୍ତି | ଦିନକୁ ଦିନ ଏହି ଖେଳ ଗ୍ରାମାଞ୍ଚଳରେ ବୃ୍ଦ୍ଧି ପାଇବା ଫଳରେ ବହୁ ଲୋକ ଖେଳରେ ହାରିଯାଇ ସର୍ବସ୍ୱାନ୍ତ ହୋଇ ପଡନ୍ତି | ଜୁଆ ଖେଳ ସାଙ୍ଗକୁ ଗାଆଁ ଗାଆଁରେ ମଦ ମାଂସର ଆସର ବି ଜମେ | ବେଳେ ବେଳେ ଏହି ଖେଳରୁ ଯୁକ୍ତିତର୍କରୁ ବଡ଼ ଗଣ୍ଡଗୋଳ ହୋଇ ବହୁ ଧନ ଜୀବନ ନଷ୍ଟ ହେବାର ନଜିର୍ ମଧ୍ୟ ରହିଛି | ତେଣୁ ଜୁଆ ଖେଳକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ସବୁବେଳେ ଦାବି ହୋଇ ଆସୁଛି |


