ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ କିଙ୍ଗପିନ ସହ ୩ ଖେଳାଳି ଥାନାରେ ଅଟକ

ନାଉଗାଁ: (ଯୁଗାବ୍ଦ ନ୍ୟୁଜ୍) ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟରେ ରବିବାର ସଂଧ୍ୟାରେ ନାଉଗାଁ ଥାନା ପକ୍ଷରୁ ବେଆଇନ ଭାବେ ଖେଳା ଯାଉଥିବା ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଜୁଆ ଖେଳାଉ ଥିବା କିଙ୍ଗପିନ ସମେତ ୩ ଜଣ ଖେଳାଳିଙ୍କୁ ଥାନାରେ ଅଟକ ରଖାଯାଇଛି । ପ୍ରକାଶ ଯୋଗ୍ୟ ଯେ ଏହି ହାଟରେ ଦୀର୍ଘ ଦିନ ହେବ ଜୁଆ ଖେଳ ଚାଲି ଥିବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜୁଆ ଖେଳାଉ ଥିବା ଜୈନିକ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନ ଖେଳାଇ ଚତୁରତାର ସହିତ ବିଭିନ୍ନ ଛକ ଓ ଜାଗା ମାନଙ୍କରେ ଖେଳ କରୁଥିବାର ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ପ୍ରତ୍ୟେହ ଖେଳ ହେବା ଦ୍ୱାରା ଅନେକ ଯୁବକମାନେ ୧୦ ଟଙ୍କାରେ ୧୦୦ ଟଙ୍କା ଜିତିବା ଆଶାରେ ଏଥିରେ ସାମିଲ ହେବା ସହିତ ଘରୁ ଟଙ୍କା ଆଦି ଚୋରି କରି ଆଣି ଏହି ଖେଳ ଖେଳୁଥିବା ଜଣାଯାଇଛି । ଏହି ଖେଳ ହେବା ଦ୍ୱାରା ଅନେକ ପରିବାରରେ ପାରିବାରିକ ଅଶାନ୍ତି ମଧ୍ୟ ଦେଖାଯାଉଥିବା ଜଣାଯାଇଛି । ରବିବାର ସଂଧ୍ୟାରେ ଖେଳ ଚାଲୁଥିବା ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ଭର କର ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଖେଳର ମାଲିକ ସମେତ ୩ ଜଣ ଖେଳାଳିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଥାନାଧିକାରୀ ଶ୍ରୀମତୀ କର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ