ଜୁନ୍ ୨୩ ଆନ୍ତର୍ଜାତୀକ ବିଧବା ଦିବସ ବିଗତ ହୋଇଛି ଧବ ଯାହାର : ଏକ ଅନୁଶୀଳନ

ଭାରତୀୟ ହିନ୍ଦୁ ପରମ୍ପରାରେ ବିଗତ ହୋଇଛି ଧବ (ସ୍ୱାମୀ) ଯାହାର ସେ ବିଧବା (ବିଧବ) । ଧବ କହିଲେ ପତିହୀନ ଅର୍ଥାତ ପତି ରହିତ । ପତି ସହ ବର୍ତମାନ ଯେ ସଧବା । ପତିହୀନା ଯେ ସେ ବିଧବା । ‘ପି’ କହିଲେ ରହିତ ବା ବଂଚିତ । ବିଧବାମାନେ ଦେଶ, ଜାତି ଓ ପରମ୍ପରା ନେଇ କେଉଁଠି ପୁର୍ନବିବାହ କରିପାରନ୍ତି ବା ନକରିପାରନ୍ତି । କେଉଁଠି ତ ଆଦୌ ବିଧବା ବିବାହ ପ୍ରଚଳନ ନାହିଁ । ଏହା କେଉଁଠି ସଂକୀର୍ଣ୍ଣ ଜାତିଆଣ ପରମ୍ପରା ବା ଗୋଷ୍ଠୀର କଟକଣାକୁ ନେଇ ହୋଇପାରେ ବା ନହୋଇପାରେ । ଯେଉଁଠି ବିଧବା ବିବାହ ପ୍ରଚଳନ ଅଛି, ସେଠି ବିଧବାର କୌଣସି ସନ୍ତାନ ନଥାନ୍ତି, ତେବେ ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ ଏବଂ ସେ ପୁର୍ନବିବାହ ନିଶ୍ଚୟ ନିରାପଦ । ଯେଉଁଠି ବିଧବାର ସନ୍ତାନ ଥାନ୍ତି ସେମାନଙ୍କ ସାଙ୍ଗରେ ନେଇକି ଯିବା କିମ୍ବା ପୂର୍ବ ଶ୍ୱଶୂରାଳୟରେ ଛାଡ଼ିକି ଯିବା ସନ୍ତାନ ବା ମା’ ପାଇଁ ଆଦୌ ନିରାପଦ ନୁହେଁ । ବରଂ ଏ ସଙ୍ଗ ବା ବିଚ୍ଛେଦ ନିହାତି ଯନ୍ତ୍ରଣାଦାୟକ ।
ଅନେକ କ୍ଷେତ୍ରରେ ବିଧବାମାନେ ପୁର୍ନବିବାହ କରିପାରିନଥାନ୍ତି ଏମାନେ ଅବଶିଷ୍ଟ ଜୀବନ ବିଧବା ଭାବରେ ଏକା ଏକା କଟାଇଥାନ୍ତି । ହୁଏତ କାହାର ସନ୍ତାନ ଥାଇପାରେ କାହାର ବା ନଥାଇପାରେ । ଉଭୟ କ୍ଷେତ୍ରରେ ସେମାନଙ୍କର ଜୀବନ ଦୁର୍ବିସହ ଓ ଯନ୍ତ୍ରଣାଦାୟକ । ଏମାନେ କୁଳକୁ ହିତା ନୁହଁନ୍ତି । ଏମିତିକି ନିଜକୁ ପିତା । ଏମାନଙ୍କ ପାଖରେ ସମସ୍ୟା ଅନେକ । ଏବେ ଲକ୍ଷ ଲକ୍ଷ ବିଧବା ସମଗ୍ର ବିଶ୍ୱରେ ଦାରିଦ୍ର‌୍ୟ, ସାମାଜିକ ବାସନ୍ଦ, ହିଂସା, ଏକାକିନୀ ରୋଗ ଓ ଦୁଷ୍କର୍ମ ବା ବଳାକ୍ରାର ଇତ୍ୟାଦିର ଶିକାର ହେଉଛନ୍ତି । କେଉଁଠି ଗଣଶିକାର ବା ଧର୍ଷଣ ପରେ ହତ୍ୟା ହେଉଛନ୍ତି । ଏଇ ଯେମିତି ଆମ ଓଡ଼ିଶାର ବାଲିକୁମା (କାମାକ୍ଷାନଗର)ରେ ଘଟିଥିବା ଜଣେ ବିଧବାଙ୍କୁ ଚାରିଜଣଙ୍କ ଦ୍ୱାରା ଗଣଧର୍ଷଣ ପରେ ଯୌନାଙ୍ଗକୁ ଅସ୍ତ୍ରାଘାତ କରି ହତ୍ୟା କରିଛନ୍ତି । ପୁଣି ନିଜ ୧୦ ବର୍ଷର ପୁଅ ସାମ୍ନାରେ । ଏମିତିକି ଏକାକି ସୁଯୋଗ ନେଇ ଚୋରି, ଡକାୟତି, ଅପହରଣ ଇତ୍ୟାଦି କରିଥାନ୍ତି । ନା ସେମାନଙ୍କ ଜୀବନ ପ୍ରତି ସୁଖ ଅଛି ନା ଅଛି ନିରାପତା ଅଛି ।
ଏସବୁର ନିରାକରଣ ସାଙ୍ଗକୁ ସେମାନଙ୍କୁ ବାଛବିଚାର ମୁକ୍ତ ଭାବେ ମର୍ଯ୍ୟାଦାର ସହ ବଂଚିବାର ସୁଯୋଗ ଦେବାକୁ ଆଜିର ଦିନରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏବେ ବିଶ୍ୱସ୍ତରୀୟ ପ୍ରୟାସ ଆରମ୍ଭ ହୋଇଛି । ୨୦୦୫ ମସିହା ଜୁନ୍ ୨୩ରେ ପ୍ରଥମ ଆନ୍ତର୍ଜାତିକ ବିଧବା ଦିବସ ଏନେଇ ପାଳନ ହୋଇଯାଇଛି । ତେବେ ୨୦୧୦ ମସିହା ଡିସେମ୍ବର ୨୧ରେ ଜାତିସଂଘର ସାଧାରଣ ଆସେମ୍ଲିରେ ଏହାକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛି । ସାମାଜିକ, ଆର୍ôଥକ, ସାଂସ୍କୃତିକ ଓ ଅନ୍ୟାନ୍ୟ କାରଣରୁ ବିଶ୍ୱର ବିଭିନ୍ନ ଭାଗରେ ବିଧବା ମହିଳା ଓ ସେମାନଙ୍କ ପିଲାମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଆସନ୍ତୁ, ସେମାନଙ୍କ ନିରାପତା ସହ ବଂଚିବାରେ ଏବଂ ଜୀବନର ସ୍ୱାଦ ଚଖାଇବାରେ ସହାୟକ ହେବା ।

ବିପିନ ବିହାରୀ ମହାନ୍ତି

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ