ଝଣଝଣାର ବେସାହାରା ପରିବାରକୁ ଭେଟିଲେ ଅଧିକାରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ): ସ୍ୱାମୀର ମୃତ୍ୟୁପରେ ବେସାହାରା ହୋଇ ଯାଇଛି ପରିବାର । ୫ଜଣ ଛୁଆଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାପାଇଁ ଭିକ ମାଗୁଛି ମା । ଏପରି ଏକ ଷ୍ପର୍ଶକାତର ଘଟଣାର ଖବରପାଇ ଗତକାଲି ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟୀନି, ସିଡିପିଓ ସରସ୍ୱତୀ ସେଠୀ, ଚାଇଲଡ ଲାଇନ ସଦସ୍ୟ ନରେନ୍ଦ୍ର କୁମାର ପରିଡା ପ୍ରମୁଖ ଉକ୍ତ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟି ସେମାନଙ୍କୁ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି । ତୁରନ୍ତ ବିଧବା ଭତ୍ତା ସହିତ ଦୁଇ ଛୋଟ ଛୋଟଙ୍କୁ ଆଦିବାସୀ ଆବାସିକ ବିଦ୍ୟାଳୟରେ ଥଇଥାନ କରାଯିବାର ବିଡିଓ ପ୍ରତିଶୃତି ଦେଇଛନ୍ତି । ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଝଣଝଣା ଗାଁରେ ଘାସିରାମ ଟୁଡୁ ଓ ସ୍ତ୍ରୀ ବାସନ୍ତୀ ଟୁଡୁ ୬ଛୁଆଙ୍କୁ ନେଇ ହସଖୁସିରେ ଚଳୁଥିଲେ । ଉଭୟ କାମକରି ଯାହା ମୁଲ ମଜୁରି ଆଣନ୍ତି ସେଥିରେ ପରିବାରଟି ଆରାମରେ ଚଳିଯାଏ । କିନ୍ତୁ ଗତ ୫ବର୍ଷ ପୁର୍ବେ ଘାସିରାମ ଟୁଡୁ ଅଜଣାରୋଗରେ ମୃତ୍ୟୁବରଣ କରିବାପରେ ପରିବାରଟି ବେସାହାରା ହୋଇଗଲା । ସ୍ତ୍ରୀ ବାସନ୍ତୀ ମୁଲ ମଜୁରୀ ଲାଗି ଯାହା ଆଣେ ସେଥିରେ ପରିବାରଟି ଚଳିଯାଏ । ତାଙ୍କର ବଡ ଝିଅକୁ ବାହା ଦେଇଥିବାବେଳେ ତାର ସ୍ୱାମୀ ତାକୁ ଛାଡି କୁଆଡେ ଚାଲିଯିବାପରେ ବୋଝ ଉପରେ ନଳିତାବିଡା ସଦୃଷ ଝିଅ ଓ ତାର ଏକ ଛୋଟ ଛୁଆ ଆସି ମା ବାସନ୍ତୀ ପାଖରେ ରହୁଛନ୍ତି । ଗୋଟିଏ ମଜୁରୀରେ ପରିବାରଟି ଅତି ଦୁଖଃ କଷ୍ଟରେ ଚାଲୁଥିବାବେଳେ ଗତ କିଛିଦିନ ପୁର୍ବେ ବାସନ୍ତୀ କାମକରିବାକୁ ଯାଇ ଫେରୁଥିବାବେଳେ ଦୁର୍ଘଟଣାର ଶୀକାର ହୋଇ ହାତ ଭାଙ୍ଗି ଯିବାରୁ ସେ ଆଉ କାମଦାମ କରିବାକୁ ଯାଇପାରୁନି । ଫଳରେ ଏଭେ ଭିକ ମାଗି ଯାହା ପାଉଛି ସେଇଥିରେ ଅର୍ଦ୍ଧାହାରରେ ପରିବାରଟି ଚଳୁଛି । ବଡ ପୁଅ ରଣଜିତ ଟୁଡୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବାବେଳେ ମଝିଆଁ ପୁଅ ବାପି ଟୁଡୁ ପାଣିକୋଇଲିରେ ଏକ ଘରୋଇ କମ୍ପାନୀରେ କାମ କରୁଛି । ଘରେ ଏବେ ୬ରୁ ୧୦ବର୍ଷ ଭିତରେ ୩ଟି ଛୁଆ ଓ ଗୋଟିଏ ନାତି ଏବଂ ବଡଝିଅ ଥିବାବେଳେ ସେମାନଙ୍କ ଭୋକକଷ୍ଟ ମା’କୁ ବ୍ୟଥିତ କରିପକାଉଛି । ଏପରିସ୍ଥଳେ ସେ ବିଧବା ଭତ୍ତା ଖଣ୍ଡିଏ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଭତ୍ତା ଖଣ୍ଡିଏ ମିଳିପାରି ନାହିଁ । ଅତି ଦୁଖଃକଷ୍ଟରେ ପରିବାରଟି ଅର୍ଦ୍ଧାହାରରେ ଚଳୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ