ଟଙ୍କା ଉଠାଣ ସକାଶେ ଖରାରେ ସିଝି ଏଟିଏମ ସମ୍ମୁଖରେ ଲମ୍ବା ଲାଇନ : ବ୍ୟାଙ୍କ କର୍ତୁପକ୍ଷଙ୍କ ନିଘା ନାହିଁ
ହିଞ୍ଜିଳିକାଟୁ. ୧୦ା୫(ଶେଷଦେବ ସାହୁ): ଚଳିତ ମାସ ୩ ତାରିଖରେ ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ବୋହିଥିଲା । ଫନି ପ୍ରଭାବରେ ଅଂଚଳର ସେତେଟା କ୍ଷତି ହୋଇନଥିଲେ ବି ବହୁ ଚାଷୀଙ୍କ ପରିବା ଫସଲ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା । ଚାଷୀର ପରିବା ଫସଲ ଉଜୁଡ଼ିଯିବାରୁ ସ୍ଥାନୀୟ ବଜାରରେ ପରିବା ମିଳିପାରୁନାହିଁ । ଯାହା କିଛି ବି ପରିବା ମିଳୁଛି ତାହାର ଦର ଆକାଶ ଛୁଆଁ । ଗତ କିଛି ଦିନଧରି ଇଂଟରନେଟ ସେବା ବ୍ୟାଘାତ କାରଣରୁ ବ୍ୟାଙ୍କିକ୍ ସେବା ଏକ ପ୍ରକାର ଠପ୍ ପାଲଟି ଯାଇଥିଲା । ଜନସାଧାରଣଙ୍କ ନିକଟରେ ଥିବା ଅର୍ଥ ଶେଷ ହୋଇଯିବା ପରେ ଲୋକେ ବ୍ୟାଙ୍କ ଉପରେ ନିର୍ଭର କରିଥିଲେ । ହିଞ୍ଜିଳିକାଟୁ ପୌରାଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୪ ଟି, ୟୁନିୟନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆର, ଆଇସିଆଇସିଆଇର ଗୋଟିଏ ଲେଖାଏଁ ଏଟିଏମ ରହିଛି । ପ୍ରାୟତଃ ସମସ୍ତ ଏଟିଏମ ଗୁଡ଼ିକରେ କେତେବେଳେ ଲିଙ୍କ ଫେଲ ରହୁଥିବା ବେଳେ କେତେବେଳେ ଏଟିଏମରେ ଟଙ୍କା ରହୁନଥିବା ଏବଂ ବେଳେ ବହୁ ସମୟରେ ଏଟିଏମ ଗୁଡ଼ିକ ବନ୍ଦ ରହୁଥିବା ଦେଖାଯାଉଛି । ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମରେ ଟଙ୍କା ମହଜୁଦ ଥିବା ଯୋଗୁଁ ସଂପୃକ୍ତ ଏଟିଏମ ସମ୍ମୁଖରେ ଗ୍ରାହକଙ୍କ ଲମ୍ବାଲାଇନ ଲାଗିଥିଲା । ଶୁକ୍ରବାର ଦିନ ସହରର ତାପମାତ୍ରା ୪୧ଂ ରହିଥିବା ବେଳେ ପ୍ରବଳ ଖରା ହେଉଥିବା ସତ୍ୱେ ଗ୍ରାହକ ମାନେ ଲମ୍ବା ଲାଇନରେ ଦୀର୍ଘ ସମୟ ଧରି ଅପେକ୍ଷା କରି ଏଟିଏମରୁ ଟଙ୍କା ଉଠାଣ କରୁଥିବା ଦେଖିବାକୁ ମିଳିଥିଲା । ପରିତାପର ବିଷୟ ପ୍ରବଳ ଖରାରେ କେହି ଯଦି ବିପଦର ସମ୍ମୁଖିନ ହୁଏ, ତାହେଲେ ବ୍ୟାଙ୍କ କର୍ତୁପକ୍ଷ ଦାୟୀ ରହିବେ କି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।