ଟାଉନ ଭେଣ୍ଡିଂ କମିଟିକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନୋଟିସ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉଠାଦୋକାନୀ ଟାଉନ ଭେଣ୍ଡିଂ କମିଟିର ବୈଧତାକୁ ନେଇ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ମାନ୍ୟବର ଉତ୍ତ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରାଯାଇଥିଲା । ଏଥିରେ ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟ ସରକାରଙ୍କ ନର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ଭୁବନେଶ୍ୱର ଡ଼ିସିପି, ବିଏମ୍ସି ପ୍ଲାନିଂ, ଲିଡ୍ ବ୍ୟାଙ୍କ, ବିଏମ୍ସିର ୧୨ ନମ୍ବର କର୍ପୋରେଟର ଜୟନ୍ତୀ ସାହୁ, ସୁଶାନ୍ତ ଦାସ, ଗୟାଧର ସ୍ୱାଇଁ, ସିଫାର, ମନୋଜ କୁମାର ସ୍ୱାଇଁ, ସନ୍ଧ୍ୟାରାଣୀ ସେଠୀ, ବିଜୟ କୁମାର ଦାସ, ଧୀରେନ୍ଦ୍ର କୁମାର ସ୍ୱାଇଁ, ବିଏମ୍ସି ଡ଼େପୁଟି କମିଶନରଙ୍କ ସମେତ ୧୪ଜଣଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନୋଟିସ୍ ଜାରି କରିଛନ୍ତି । ଏଠାରେ ସୂଚନା ଥାଉକି କେନ୍ଦ୍ରୀୟ ଉଠାଦୋକାନୀ ଆଇନରେ ‘ଦି ଷ୍ଟ୍ରିଟ ଭେଣ୍ଡର୍ସ (ପ୍ରୋଟେକ୍ସନ ଅଫ ଲାଇଭ୍ଲ ହୁଡ଼ ଆଣ୍ଡ ରେଗୁଲେସନ ଅଫ୍ ଷ୍ଟ୍ରିଟ ଭେଣ୍ଡିଂ) ଆକ୍ଟ, ୨୦୧୪ର ଚାପ୍ଟର-୭ରେ କୁହାଯାଇଛି ଯେ, ଟାଉନ ଭେଣ୍ଡିଂ କମିଟିରେ ୪୦ ପ୍ରତିଶତ ଉଠାଦୋକାନୀ ପ୍ରତିନିଧି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଉଠା ଦୋକାନୀ ଆଇନରେ ମାତ୍ର ୪ଜଣ ପ୍ରତିନିଧି ରହିବାକୁ ଥିବାକୁ ନେଇ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ଉଚ୍ଚ ନ୍ୟାୟାଳୟର ଡ଼ିଭିଜନ ବେଞ୍ଚ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ସାବିତ୍ରୀ ରଥ ଏହି ପିଟିସନ ଉପରେ ବହୁ ବିଚାର ବିମର୍ଷ କରିବା ସହ ପିଟିସନଟିର ଯଥାର୍ଥ ରହିଛି ବୋଲି ମନେ କରି ଏହି ୧୪ଜଣଙ୍କୁ ନୋଟିସ ଜାରି କରିଛନ୍ତି । ସରକାରଙ୍କ ତରଫରୁ ଆଡ଼ଭୋକେଟ ନିରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ ଟ୍ରଷ୍ଟ ତରଫରୁ ଆଡ଼ଭୋକେଟ ରାମଦାସ ଆଚାର୍ଯ୍ୟ, ଆଡ଼ଭୋକେଟ ଦେବୀଦତ୍ତ ମହାପାତ୍ର ପରିଚାଳନା କରିଥିଲେ ।