ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ସଂସ୍କୃତ ସପ୍ତାହ ପାଳିତ
ଛତ୍ରପୁର, (ଓ୍ବାଇଏନଏସ): ବିଶ୍ୱ ସଂସ୍କୃତ ସପ୍ତାହ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାପୀଠରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସଂସ୍କୃତବିଦ୍ ତଥା ଛତ୍ରପୁର ଅନସ୍ଲୋ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ସଂସ୍କୃତ ଭାଷାକୁ ସମସ୍ତ ଭାଷାର ଜନନୀ ଭାବେ ବର୍ଣ୍ଣନା କରିବା ସହ ଏହି ଭାଷା ସମାଜକୁ ସଠିକ୍ ମାର୍ଗଦର୍ଶନ କରିଥାଏ ବୋଲି କହିଥିଲେ। ଏଥିସହ ସେ ଯୁଗ ଯୁଗ ଧରି ସଂସ୍କୃତ ଭାଷାର ମହତ୍ତ୍ୱ ଓ ଏହାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା ଏନ୍ସିସି ଫାଷ୍ଟ ଅଫିସର ସୁଧାକର ବଳୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଭିରାମ ସାହୁ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।


