ପୌରପରିଷଦରେ ସ୍ୱାୟତ ଶାସନ ଦିବସ ପାଳନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ପୌରପରିଷଦ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ସ୍ୱାୟତ ଶାସନ ଦିବସ। ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସରରେ ଭଞ୍ଜନଗର ଟାଉନ୍ ହଲ୍ଠାରେ ଆୟୋଜିତ ହୋଇଥିଲା ସାଧାରଣ ସଭା।ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଶାନ୍ତନୁ କୁମାର ଆଚାର୍ଯ୍ୟ, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଯୋଗଦେଇ ସ୍ୱାୟତ ଶାସନ ଦିବସର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ସବ୍-ରେଜିଷ୍ଟ୍ରାର ଫାଲ୍ଗୁନୀ ସାହୁ ଏବଂ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମହାର, ପୌର ପରିଷଦର ସମସ୍ତ ୱାର୍ଡ ସଭ୍ୟ ଯୋଗଦେଇଥିଲେ। ସ୍ୱାୟତ ଶାସନ ଦିବସ ଅବସରରେ ଭୋର ୫ଟା ୩୦ ମିନିଟ୍ରେ ରାମଧୁନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୮ଟାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ୮ଟା ୩୦ ମିନିଟ୍ରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେହିପରି ସକାଳ ୯ଟା ୩୦ ମିନିଟ୍ରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପରେ ସକାଳ ୧୧ଟାରେ ଟାଉନ୍ ହଲ୍ଠାରେ ସାଧାରଣ ସଭା ଆୟୋଜିତ ହୋଇଥିଲା। ଭଞ୍ଜନଗର ପୌରପରିଷଦ ଘୋଷଣା ପରେ ପ୍ରଥମ ଥର ପାଇଁ ଐତିହାସିକ ଭାବେ ସ୍ୱାୟତ ଶାସନ ଦିବସ ପାଳନ ହୋଇଥିବାରୁ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।


