ଟାଙ୍ଗୀ ଚୌଦ୍ୱାରର ରହସ୍ୟମୟ କୂଅ : ଐତିହାସିକ ତଥ୍ୟ ପାଇଁ ଅନୁଧ୍ୟାନ କଲେ ଇନଟାକ୍ ପ୍ରତିନିଧି
ଚୌଦ୍ଵାର : (ଦୀପକ୍ କୁମାର ବେଉରା) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମ ପଞ୍ଚାୟତର ଆମ୍ବିଳିଝରୀ ଗାଁ କୁ ଲାଗି ଘଞ୍ଚ ଜଙ୍ଗଲରେ ଥିବା ରହସ୍ୟମୟ “ଦେଢ଼ଶୁର ଭାଇ ବୋହୁ କୂଅ” ର ପୁନଃ ଆବିଷ୍କୃତ ହୋଇଛି। ଡାଳିଯୋଡ଼ା ବନାଞ୍ଚଳ ନିକଟବର୍ତ୍ତୀ ଆମ୍ବୁଆ ଗୁମ୍ଫା ପାହାଡର ପାଦ ଦେଶରେ ଥିବା ଏହି କୂଅ କୁ ନେଇ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ ଜାତୀୟ କଳା ଓ ସଂସ୍କୃତି ସଂରକ୍ଷଣ ଟ୍ରଷ୍ଟ୍ ( ଇନଟାକ୍) ର ଏକ ପ୍ରତିନିଧି ମଣ୍ଡଳୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ପ୍ରାଚୀନ କୂଅଟି ପ୍ରାୟ ୮୦୦ ବର୍ଷ ତଳର ଦ୍ୱାଦଶ/ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଇନଟାକ୍ ପ୍ରତିନିଧି ମଣ୍ଡଳୀ ମାନେ ଅନୁମାନ କରିଛନ୍ତି। କୂଅ ର ନିର୍ମାଣ ଶୈଳୀ କଳିଙ୍ଗ ଅଞ୍ଚଳରେ ମିଳୁଥିବା ପ୍ରାଚୀନ ମନ୍ଦିର ମାନଙ୍କ ନିର୍ମାଣ ଶୈଳୀ ଭଳି ଅନନ୍ୟ ଏବଂ ଏଠାରେ କୌଣସି ଏକ ପୁରାତନ ଧର୍ମ ବିଶ୍ୱାସୀ ଜନ ବସତି ଗଢି ଉଠିଥିଲା ବୋଲି ସେମାନେ ଅନୁମାନ କରୁଥିବା କହିଛନ୍ତି।ଐତିହାସିକ ପ୍ରାମାଣିକ ତଥ୍ୟ ହାସଲ ପାଇଁ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା କୁ ଇନଟାକ୍ ପ୍ରତିନିଧି ମଣ୍ଡଳୀ ଅବଗତ କରାଇଛନ୍ତି। ପ୍ରକାଶ ଥାଉକି ଜଙ୍ଗଲ ମଧ୍ୟରେ ଥିବା ଏହି କୂଅ ର ପାଣିରେ ଗାଧୋଇଲେ ଜ୍ୱର ଛାଡି ଯାଏ, ଅଢେଇ ଢ଼ୋକ ପିଇ ଦେଲେ ପେଟ ରୋଗ ସହିତ ଦେହ ବିନ୍ଧା ଭଲ ହୋଇଯାଏ ବୋଲି ସ୍ଥାନୀୟ ଅଞ୍ଚଳର ଆଦିବାସୀ ମାନେ କେତେ କାଳରୁ ଶୁଣି ଆସୁଥିବା କୁହନ୍ତି। ତେବେ କୂଅ ଟି ଦେଢ଼ଶୁର ଭାଇ ବୋହୁ କୂଅ” ନାମରେ ଲୋକ ମୁଖରେ ପରିଚିତ ହୋଇଛି। କୂଅ ଟିକୁ କିଏ କେବେ ଖନନ କରିଥିଲେ ତାହାର ପ୍ରମାଣିକ ତଥ୍ୟ ମିଳିପାରିନାହିଁ। କୂଅ ଟିର ଆକାର ପ୍ରକାର ଓ ଅବସ୍ଥିତି କୁ ଦେଖିଲେ ଏହା ଯେ ପୌରାଣିକ ଯୁଗର ବୋଲି ବିଶ୍ୱାସ କରିବାକୁ ପଡିବ। କୂଅ ର ଗଠନ ଶୈଳୀ ଦେଖିଲେ ବିସ୍ମିତ ହେବାକୁ ପଡେ। କୂଅ ର ପ୍ରବେଶ ଦ୍ୱାରରେ ଭଗ୍ନ ଅବସ୍ଥାରେ ଦୁଇଟି ଖମ୍ବ ସହ ମୂର୍ତ୍ତି ଦେଖାଯାଏ। କୂଅ ଭିତରକୁ ଯିବାକୁ ୨୨ଟି ପାହାଚ ରହିଛି। କୂଅ ମୁହଁ ର ଆକାର ପ୍ରାୟ ୧୦ ଫୁଟ ହୋଇଥିବା ବେଳେ ଗଭୀରତା ୩୫ ଫୁଟ ରୁ ଅଧିକ ଥିବା ଅନୁମାନ କରାଯାଉଛି । ୨୦ ଫୁଟ ର ବର୍ଗାକାର ଚତୁଃପାର୍ଶ୍ୱ ଘେରା କାନ୍ଥ ର ମଧ୍ୟ ଭାଗରେ ଏହି କୂଅ ରହିଛି। କୂଅ ନିକଟରେ ଯଜ୍ଞ କୁଣ୍ଡ, ଓ ପଥର ଖୋଦିତ ଏକ ବଡ଼ ଦୀପ ରହିଛି। ସ୍ଥାନୀୟ ଆଦିବାସୀ ଙ୍କ କହିବା ଅନୁଯାୟୀ ୧୯୯୦ ମସିହାରେ ଶେଷଥର ପାଇଁ କୂଅଟିକୁ ଜଣେ ତାନ୍ତ୍ରିକ ଉଝୁଳାଇଥିଲେ। ସେତେବେଳେ କୂଅ ଭିତରୁ ପଥର ମୂର୍ତ୍ତି, ମୁଦ୍ରା ଓ ମାଟି ପାତ୍ର ର ଭଗ୍ନାଶ ମିଳିଥିଲା।ଏହି ପୁରାତନ କୀର୍ତ୍ତି ରାଜିର ଉପଯୁକ୍ତ ସର୍ଭେ କରାଯାଇ ଏହାର ସୁରକ୍ଷା ଓ ସଂରକ୍ଷଣ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଇନଟାକ୍ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା କୁ ଅନୁରୋଧ କରାଯାଇଛି।


