ଟାଟା ମୁଖ୍ୟ ଫାଟକ ସମ୍ମୁଖରେ ଶିକ୍ଷିତ ଯୁବକ ଯୁବତୀଙ୍କ ଧାରଣା
ଛତ୍ରପୁର, (ଦେବଦତ୍ତ ମହାରଣା): ଜମି ଦେଲୁ …… ପ୍ରଭାବିତ ହେଲୁ …….. ମାତ୍ର ଆଶା ଆଶାରେ ହିଁ ରହିଗଲା । ଗୋପାଳପୁର ଟାଟା କମ୍ପାନୀ ଆମକୁ ଧୋକ୍କା ଦେଇ ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲ୍ଲାର ଲୋକଙ୍କୁ ବେଆଇନ୍ ଭାବେ ନିଯୁକ୍ତି ଦେଉଛି । ଆମକୁ ସାବତ ପୁଅ ଭଳି ଜାଡିକି ଗୁଡ ଚଟେଇଲା ଭଳି ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଅଣକୁଶଳୀ ଠିକା ଶ୍ରମିକରେ ପରିଣତ କରି କମ୍ ଦରମା ଦେଇ ସରକାରଙ୍କ ନିକଟରେ ବାହାବାହା ନେଉଛି । ଏହାକୁ ବରଦାସ୍ତ କରାଯିବ ନାହିଁଁ । ଆଗାମୀ ଦିନରେ ଶିକ୍ଷିତ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କ ହକ୍ ପାଇଁ ସପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜମି ହରାଇଥିବା ଟାଟା ଦ୍ୱାରା ତାଲିମ ପ୍ରାପ୍ତ ଶିକ୍ଷିତ ଯୁବକ/ ଯୁବତୀ ମାନେ ଚେତାବନୀ ଦେଇଛନ୍ତି । ଟାଟା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ପରିସରରେ ସ୍ଥାୟୀ ନିଯୁକ୍ତି ସମେତ ୭ ଦଫା ଦାବୀ ନେଇ ଜମି ହରାଇଥିବା ଟାଟା ଦ୍ୱାରା ତାଲିମ ପ୍ରାପ୍ତ ଶିକ୍ଷିତ ଯୁବକ/ ଯୁବତୀ ମାନେ ଗତ କାଲି ଠାରୁ ଟାଟା ପ୍ରକଳ୍ପର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଟାଟା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଟାଟା ‘ଚା’ ପ୍ୟାକିଂ ୟୁନିଟ୍ ରେ ସ୍ଥାନୀୟ ଲୋକ (ଜମି ହରାଇଥିବା) ଲୋକଙ୍କୁ ଅଣଦେଖା କରି କମ୍ପାନୀ ମଧ୍ୟରେ ହେଉଥିବା ପରୀକ୍ଷାରେ ସାମିଲ ନ କରି ଅନ୍ୟ ରାଜ୍ୟ ଅନ୍ୟ ଜିଲ୍ଲାର ଲୋକମାନଙ୍କୁ କମ୍ପାନୀର କର୍ତ୍ତୁପକ୍ଷ ଦଲାଲ୍ ସାଜି ନିଯୁକ୍ତି ପ୍ରଦାନ କରିଛନ୍ତି । ଆମେ ଜମି ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛୁ ମାତ୍ର ଟାଟା କମ୍ପାନୀ ଆମକୁ ନିଯୁକ୍ତି ନ ଦେଇ ଅନ୍ୟ ଜିଲ୍ଲା ଅନ୍ୟ ରାଜ୍ୟର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି କିପରି ପ୍ରଦାନ କରୁଛି ଏହା ଉପରେ ସରକାର ତଦନ୍ତ କରି ହସ୍ତକ୍ଷେପ କରି ସ୍ଥାନୀୟ ଜିଲ୍ଲା ପ୍ରଶାସନର ସହଯୋଗରେ ଜମି ହରାଇଥିବା ଶିକ୍ଷିତ ଯୁବକ /ଯୁବତୀ ମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ସେମାନଙ୍କ ଦାବି ରହିଛି । ନଚେତ୍ ଆଗାମୀ ଦିନରେ ଶିକ୍ଷିତ ଯୁବକ/ ଯୁବତୀ ମାନେ ରାଜରାସ୍ତାକୁ ଓହ୍ଲାଇ କମ୍ପାନୀକୁ ଅଚଳ କରିବା ପାଇଁ ବାଧ୍ୟ ହେବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି । ଏନେଇ ପୂର୍ବରୁ ସେମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଟାଟା କର୍ତ୍ତୁପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ସୁଦ୍ଧା ସେମାନଙ୍କ ଦାବୀ ଗୁଡିକ ଏ ପର୍ଯ୍ୟନ୍ତ ପୂରଣ ହୋଇନଥିବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିଛନ୍ତି ବୋଲି ଆନ୍ଦୋଳରତ ଯୁବକ/ଯୁବତୀ ମାନେ କହିଥିଲେ । ଆଗାମୀ ଦିନରେ ସ୍ଥାନୀୟ ଜନ ପ୍ରତିନିଧି, ବିଭିନ୍ନ ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କୁ ସାମିଲ୍ କରି ସେମାନଙ୍କ ହକ୍ ନିମନ୍ତେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି କହିଛନ୍ତି । ଏହି ଆନ୍ଦୋଳନରେ ଶ୍ରମିକ ନେତା କେ. ଗଣେଷ ରେଡ୍ଡି, ସୋମନାଥ ସାହୁ, ସି.ଏଚ୍ ବିକ୍ରମ ରେଡ୍ଡି, ଏନ୍ ଚାନ୍ଦ୍ରେୟା ରେଡ୍ଡି, ଲକ୍ଷଣ ପାତ୍ର, ପି.ଦିକ୍ଷା ରେଡ୍ଡି, ପିଣ୍ଟୁ କୁମାର ସେଠୀ, ରେଣୁ ରେଡ୍ଡି, ସି.ଏଚ୍ ବଳରାମ ରେଡ୍ଡି ଓ ଏନ୍ ଗଣେଷ ରେଡ୍ଡିଙ୍କ ସମେତ ବହୁ ଶିକ୍ଷିତ ଯୁବକ ଯୁବତୀ ସାମିଲ ଥିବା ବେଳେ ଏହାକୁ ସମର୍ଥନ ଜଣାଇ ବିଜୁ ଶ୍ରମିକ ସାମୁଖ୍ୟ ର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଟାଟା ଷ୍ଟିଲ ପ୍ରକଳ୍ପ ପ୍ରଭାବିତ ଚାଷୀ ମଂଚ ର ସଭାପତି ସି.ଏଚ୍. ସୁଧାକର ରେଡ୍ଡି, କୋଷାଧ୍ୟକ୍ଷ ସି.ଏଚ୍ ରଘୁନାଥ ରେଡ୍ଡିଙ୍କ ସମେତ ବହୁ ଛାମୁଆ ନେତା ମାନେ ସାମିଲ୍ ହୋଇ ଟାଟା ବିରୁଦ୍ଧରେ ଗର୍ଜିଥିଲେ । ଏକ ପ୍ରତିନିଧି ଦଳ ସନ୍ଧ୍ୟାରେ ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ତହସିଲଦାର, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ସେମାନଙ୍କ ଦାବି ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।