ଟାଟା ଷ୍ଟିଲ୍ କାଟାମାଟି ଲୌହ ଖଣିର ଜନ ଶୁଣାଣି
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଦେଓଝର ଓ ଠାକୁରାଣୀ ଗ୍ରାମସ୍ଥିତ ଟାଟାଷ୍ଟିଲ ଲିମିଟେଡ୍ର କାଟାମାଟି ଲୌହଖଣିର ବାର୍ଷିକ ଉତ୍ପାଦନ ବୃଦ୍ଧି ନିମନ୍ତେ ବୁଧବାର ହୋଇଥିବା ଜନ ଶୁଣାଣି ଶେଷ ହୋଇଛି । କାଟାମାଟି ଲୌହଖଣିର ବାର୍ଷିକ ଉତ୍ପାଦନ ୮ ନିୟୁତ ମେଟ୍ରିକ ଟନ୍ରୁ ୧୩.୫ ନିୟୁତ ମେଟ୍ରିକ ଟନ୍ (ଆଇଓଏମ୍) କୁ ବୃଦ୍ଧି କରିବା ସହିତ ବାର୍ଷିକ ସର୍ବମୋଟ ୧୫ ନିୟୁତ ମେଟ୍ରିକ ଟନ୍ ଖଣିଜ ଉତୋଳନ କରିବା ଏବଂ ୪ ନିୟୁତ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଖଣିଜ ବେନିଫିସିଏସନ୍ ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଭାରତ ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଦ୍ୱାରା ପରିବେଶୀୟ ମଞ୍ଜୁରୀ ପାଇଁ ଏହି ଜନଶୁଣାଣିର ଆୟୋଜନ କରାଯାଇଥିଲା । ପୂର୍ବାହ୍ନ ୧୧ ଘଟିକାରେ ଦେଓଝର ଗ୍ରାମ କାଟାମାଟି ଲୌହଖଣି ନିକଟରେ ଆୟୋଜିତ ଏହି ଜନ ଶୁଣାଣିରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ବି.ସି. ପ୍ରଧାନ ଏବଂ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର କେନ୍ଦୁଝର ଆନ୍ଚଳିକ ଅଧିକାରୀ ପୁସ୍କର ଚନ୍ଦ୍ର ବେହେରା ଉପସ୍ଥିତ ରହି ଲୋକଙ୍କର ଅଭିଯୋଗ ଓ ମତାମତ ଶୁଣାଣି କରିଥିଲେ । ଏହି ଜନଶୁଣାଣିରେ ସ୍ଥାନୀୟ ଖଣି ପ୍ରଭାବିତ ପ୍ରାୟ ୭୬ ଜଣ ପ୍ରକଳ୍ପ ସମନ୍ଧୀୟ ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜନିଜର ମତାମତ ଦେଇଥିଲେ । ସରକାରଙ୍କ କୋଭିଡ୍ ଗାଇଡଲାଇନଙ୍କୁ ପାଳନ କରି ସାମାଜିକ ଦୂରତା ରକ୍ଷା କରି ଜନଶୁଣାଣି କରାଯାଇଥିଲା । ଏହି ସଭାରେ ସ୍ଥାନୀୟ ଜନ ସାଧାରଣଙ୍କ ସଂଖ୍ୟା କମ୍ ଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ଅଧିକ ନିୟଜିତ ହୋଇଥିଲେ । ଅଂଚଳବାସୀ ସମ୍ପୁର୍ଣ୍ଣ ସମର୍ଥନ ଦେଇ ଜନ ଶୁଣାଣିକୁ କମ୍ପାନୀ ସପକ୍ଷରେ ମତାମତ ଦେଇଥିଲେ ।