ଟିକେଟ ଫାଇନାଲ ହେଉନି : ବିଭିନ୍ନ ପଞ୍ଚାୟତରେ ନିର୍ଣ୍ଣାୟକ ସାଜିବେ କି ବିଦ୍ରୋହୀ ?
ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରେ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଚୁଡାନ୍ତ ହୋଇ ପାରୁନି । ୪ଟି ଜିଲ୍ଲାପରିଷଦ ଆସନ ପାଇଁ କୌଣସି ଦଳ ପକ୍ଷରୁ ଆଜି ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ହୋଇପାରୁ ନଥିବାରୁ ଆଶାୟୀ ମାନେ ଆଶା ଆଶଙ୍କାରେ ଦିନ ଗଣୁଛନ୍ତି । ଚଳିତ ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବାର ଆଶା କରାଯାଇଛି । କଂଗ୍ରେସ, ଠାରେ ଦୁର୍ବଳ ଥିବାରୁ ତାହାର ଫାଇଦା କିଏ ନେବ ସେଥିପାଇଁ ଉଭୟଦଳ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ବ୍ଲକରେ ୩୪, ୩୫, ୩୬ ଓ ୩୭ନଂ ଭଳି ୪ଗୋଟି ଜିଲ୍ଲାପରିଷଦ ଆସନ ଥିବାବେଳେ ଗତ ୨୦୧୭ ନିର୍ବାଚନରେ ୩୫, ୩୬ ଓ ୩୭ନମ୍ବର ଜୋନ ବିଜେଡି ହାତକୁ ଯାଇଥିବାବେଳେ ୩୪ନମ୍ବର ଜୋନଟି ବିଜେପି ହାତକୁ ଯାଇଥିଲା । ୩୪ନମ୍ବର ଜୋନରୁ ବିଜେପିର ଟିକି କିସ୍କୁ ବିଜୟୀ ହୋଇଥିବାବେଳେ ୩୫ନମ୍ବର ଜୋନରୁ ବିଜେଡିର ଜୟାପ୍ରଦା ସା, ୩୬ନମ୍ବର ଜୋନରୁ ବିଜେଡିର ସୁରେନ୍ଦ୍ର ଜେନା, ୩୭ନମ୍ବର ଜୋନରୁ ବିଜେଡିର ପ୍ରଣତୀ ଦେଓ ବିଜୟୀ ହୋଇଥିଲେ । ଗତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥିବାବେଳେ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଯାଉଛି । ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ପାଇଁ ଆବେଦନ କରିଥିବାରୁ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇ ପାରୁ ନଥିବା ଶୁଣିବାକୁ ମିଳିଛି । କଂଗ୍ରେସ ଓ ବିଜେପି ମଧ୍ୟ ପ୍ରାର୍ଥୀ ନିଜ ନିଜର ଘୋଷଣାକୁ ବିଳମ୍ବ କରୁଛି । ବିଜେଡି କାହାକୁ ପ୍ରାର୍ଥୀ କରୁଛି ସେହି ଅନୁସାରେ ଆମେ ପ୍ରାର୍ଥୀ ଘୋଷଣା କରିବୁ ବୋଲି କିଛି ବିଜେପି ଓ କଂଗ୍ରେସର ଦଳୀୟ ନେତା କହିଛନ୍ତି । ଗତ ନିର୍ବାଚନରେ ବିଜେଡି ହରାଇଥିବା ୩୪ନମ୍ବର ଜୋନଟିକୁ ଚଳିତ ନିର୍ବାଚନରେ ନିଜ କବଜାରେ ରଖିବାପାଇଁ ବିଜେଡି କଳ ବଳ କୌଶଳ ଲଗାଇବା ପାଇଁ ଯୋଜନା କରିଥିବାବେଳେ ବିଜେପି ମଧ୍ୟ ଏହାକୁ ନିଜ ଅକ୍ତିଆରରେ ରଖିବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛି । ଏହି ଆସନରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବାର ଆଶା କରାଯାଉଛି । ସେହିପରି ୩୫ନମ୍ବର ଜୋନରେ ଗତ ନିର୍ବାଚନରେ ଜୟାପ୍ରଦା ସା ୬ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ ହୋଇଥିବାବେଳେ ସନାତନ ମହାକୁଡଙ୍କ ସମଥିତ ପ୍ରାାର୍ଥୀ ଦ୍ୱିତୀୟସ୍ଥାନ ହାସଲ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ । ସେହିପରି ୩୬ ନମ୍ବର ଜୋନରେ ସୁରେନ୍ଦ୍ର ଜେନା ୫ହଜାରରୁ ଉର୍ଦ୍ଧ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିବାବେଳେ ଏଠାରେ ବିଜେପି ତୃତୀୟ ସ୍ଥାନରେ ଥିଲା । ୩୭ନମ୍ବର ଜୋନର ପ୍ରଣତୀ ଦେଓ ୬ହଜାରରୁ ଉର୍ଦ୍ଧ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ଚଳିତ ନିର୍ବାଚନରେ ଏହି ଦୁଇଟି ଆସନରେ ବିଜେଡି ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବାର ଆଶା କରାଯାଉଛି । ବିଶେଷକରି ପଞ୍ଚାୟତ ଗୁଡିକରେ ସରପଞ୍ଚ ପ୍ରାର୍ଥୀ ଚୟନକୁ ନେଇ ଅଧିକାଶଂ ପଞ୍ଚାୟତରେ ଅସନ୍ତୋଷ ଦେଖା ଦେଇଛି । ଗୋଟିଏ ଗୋଟିଏ ପଞ୍ଚାୟତରୁ ବିଜେଡି ଦଳରୁ ୩ରୁ ୪ଜଣ ଲେଖାଏଁ ସରପଞ୍ଚ ପଦ ପାଇଁ ଆଶାୟୀ ଥିବାରୁ ଏହା ନେତା ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜଣକୁ ସମର୍ଥନ ଦେଲା ବେଳକୁ ଅନ୍ୟମାନେ ବିଦ୍ରୋହୀ ପ୍ରାର୍ଥୀ ହେବାପାଇଁ ଅଣ୍ଟା ଭିଡୁଥିବା ଦେଖିବାକୁ ମିଳିଛି । ଆଜି ବି କିଛି ପଞ୍ଚାୟତରେ ବିଦ୍ରୋହୀମାନେ ନାମାଙ୍କନପତ୍ର ଦାଖଲ କରିବା ଆରମ୍ଭ କରିଦେଇଛନ୍ତି । ଯଦି ଏପରି ହୁଏ ତେବେ ଅନେକ ପଞ୍ଚାୟତରେ ଏହି ବିଦ୍ରୋହୀ ପ୍ରାର୍ଥୀମାନେ ଦଳୀୟ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବା ସହ ଜିଲ୍ଲାପରିଷଦ ଭୋଟକୁ ପ୍ରଭାବିତ କରିବା ଆଶଙ୍କା ଦେଖା ଦେଇଛି ।