ଟୁକୁଣା- ଆମ୍ବୋ ରାସ୍ତା ନିର୍ମାଣର ଶିଳାନ୍ୟାଶ କରି ଚୁପ ବସିଗଲା ବିଭାଗ

ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଟୁକୁଣା -ଆମ୍ବୋ ରାସ୍ତା ନିର୍ମାଣ ହେଉନଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ କୋଟିଏରୁ ଉର୍ଦ୍ଧ ଟଙ୍କାର ଏଷ୍ଟିମେଟ ପରେ ଗତ ୨୦୧୯ ଫେବୃୟାରୀ ମାସରେ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ, ବିଧାୟକଙ୍କ ଦ୍ୱାରା ଶିଳାନ୍ୟାଶ କରାଯାଇଥିଲା । ୨୦ମାସ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ନାଁ ଗନ୍ଧ ଧରୁନି ଠିକାଦାର । ଫଳରେ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ଶିଳାନ୍ୟାଶ କାମ ସାରିଦେଇ ବିଭାଗୀୟ ଅଧିକାରୀ ମାନେ ଚୁପ ହୋଇଯାଇଛନ୍ତି । ଏହି ରାସ୍ତା ଉପରେ ଆମ୍ବୋ, ସରଳ, କୋଳିପଦି, ବେଗୁନିଆପଦି, ଅଣତିରା, କରଗୋଳା ପ୍ରଭୃତି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଦୀର୍ଘବର୍ଷ ଧରି ରାସ୍ତାଟି ଅବହେଳିତ ହୋଇ ପଡିଥିବାବେଳେ ଅନେକଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନ ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଯୋଗାଇ ଦେଇଥିଲା । ଆର.ଡି ବିଭାଗ ପକ୍ଷରୁ ଏହାର ଟେଣ୍ଡର ମଧ୍ୟ କରାଯାଇଥିଲା । ଯେଉଁ ଠିକାଦାର ଟେଣ୍ଡର ପାଇଥିଲେ ସେ ଇତିମଧ୍ୟରେ ଏଗ୍ରିମେଣ୍ଟ ମଧ୍ୟ ସାରିଛନ୍ତି । କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନଥିବାରୁ ଏବେ ବିରାଟ ବିରାଟ ଖାଲଖମା ସୃଷ୍ଟି ହୋଇ ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇପଡିଛି । ଏପରିକି ବିପଦ ଆପଦ ସମୟରେ ଆମ୍ବୁଲାନସ କି ଦମକଳଟିଏ ମଧ୍ୟ ଯାଇପାରୁନି । ପୁର୍ବରୁ ଶହଶହ ଭାରିଯାନ ଚଳାଚଳ କରିବାଦ୍ୱାରା ରାସ୍ତାରେ ଦୁଇନତିନି ଫୁଟ ଗଭୀରର ଖାଲଖମା ମାନ ସୃଷ୍ଟି ହୋଇ ପାଣି ରହିବାଦ୍ୱାରା ଯାତାୟତରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତିହେଉଛନ୍ତି ବୋଲି ସମାଜସେବୀ ରଶ୍ମୀରଞ୍ଜନ ରାଉତ, ରାଜେନ୍ଦ୍ର ମହାପାତ୍ର, ଜ୍ଞାନେନ୍ଦ୍ର ମହାପାତ୍ର, ହେମନ୍ତ ଦାସ, ଅମିତ ମହାନ୍ତି, ଅମରେନ୍ଦ୍ର ମହାପାତ୍ର, ରାଜେଶ ମହାପାତ୍ର, ରୁଦ୍ର ନାରାୟଣ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀଯନ୍ତ୍ରୀଙ୍କୁ ପଚାରିବାରେ ସେ ଉକ୍ତ ତିନି କିଲୋମିଟର ରାସ୍ତା ପାଇଁ ଯେଉଁ ଏଷ୍ଟିମେଟ ହୋଇଥିଲା ତାହା ଠିକ ଭାବେ ହୋଇ ନାହିଁ । ପୁନର୍ବାର ଏଷ୍ଟିମେଟ ହୋଇ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଏପରି ଏକ ଗୁରୁତ୍ୱପୁର୍ଣ ରାସ୍ତା ପାଇଁ କାହିଁକି ଏପରି ଏଷ୍ଟିମେଟ ପ୍ରସ୍ତୁତ କରାଯାଇଥିଲା । ଅନ୍ୟପକ୍ଷରେ ନୁଆ ଏଷ୍ଟିମେଟ ନାମରେ ବର୍ଷ ବର୍ଷ ଧରି ରାସ୍ତାଟିକୁ ଏପରି ପକାଇ ରଖିବା କେତେଦୁର ଯଥାର୍ଥ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ