ଟୋକେନ ମିଳିନଥିବାରୁ ଚାଷୀଙ୍କ ଧାନ ବିକ୍ରି ହୋଇପାରିଲାନି
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପୁଣି ଚାଷୀ ହଟହଟା ର ସମ୍ମୁଖୀନ ହୋଇଥିବା ପରିଲକ୍ଷିତ ହୋଇଛି । ଜିଲ୍ଲାରେ ମୋ ସରକାର ୫ ଟି କାଟୁ କରୁନି । ଚାଷୀମାନଙ୍କର ହଜାର ହଜାର କୁଇଣ୍ଟାଲ ଧାନ ବିଲରେ ରଖି ମୁଣ୍ଡ ହାତରେ ଦେଇ ବସିଛନ୍ତି । ଏନେଇ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଧାୟକ ମାନଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ ସୁଦ୍ଧା କେହି ବି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି କିଛି ଚାଷୀ ସଂଗଠନ । କବିସୂର୍ଯ୍ୟନଗର ବ୍ଲକ ଅନ୍ତ୍ର୍ଗତ ନନ୍ଦିଆଗଡ ସମବାୟ ସମିତି ର ନନ୍ଦିଆଗଡ ଗ୍ରାମର ୭୦ ରୁ ୮୦ ଜଣ ଚାଷୀଙ୍କ ପ୍ରାୟ ୪ ହଜାର କୁଇଣ୍ଟାଲ ଧାନ ଟୋକେନ ମିଳିନଥିବାରୁ ନିଜ ନିଜ ବିଲରେ ଧାନ ପଡିରହିଛି । ଯାହା ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଗତି କରୁଛନ୍ତି । ଏନେଇ ଆଜି ଗ୍ରାମର ୪୦ ରୁ ଉର୍ଦ୍ଧ ଚଷୀମାନେ ସେମାନଙ୍କ ଧାନ ସରକାର କିଣିବା ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବା ପାଇଁ ଆସୁଥିବା ବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟ ପରିସରରେ ବସି ରହିଛନ୍ତି । ସେମାନେ କହିବାନୁଯାୟୀ ଆମ୍ଭେମାନେ ବର୍ଷସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନ ବିକିଲେ ନିଜ ନିଜର ପରିବାରର ପ୍ରତିପୋଷଣ କରିବାରେ ସହାୟକ ହେଉଛୁ । ମାତ୍ର ସରକାର ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ଧେଣ୍ଡୁରା ମାରୁଥିଲେ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀମାନେ ଅଭାବି ବିକ୍ରି ର ଶିକାର ହୋଇଛନ୍ତି । ତେଣୁ ଆମ୍ଭମାନଙ୍କୁ ଟୋକନ ପ୍ରଦାନ କରି ବିଲରେ ପଡିଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ତୁରନ୍ତ ସରକାର କିଣନ୍ତୁ ବୋଲି ଦାବି କରିଥିଲେ । ଗ୍ରାମ୍ୟ କମିଟିର ସଭାପତି ପ୍ରତାପ ଚନ୍ଦ୍ର ସାହୁ,ଉପସଭାପତି ବିପ୍ର ଚରଣ ନାହାକ,ପ୍ରଶାନ୍ତ ସାହୁ,ପଞ୍ଚାନନ ନାହାକଙ୍କ ସମେତ ବହୁ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବସି ରହିଥିଲେ ।