ଟ୍ରାନସଫରମର ବିକି ହରଡଘଣାରେ ପ୍ରଧାନ ଶିକ୍ଷକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପୟ୍ଚାୟତ ବାରିଗାଁ ସରକାରୀ ନୋଡାଲ ସ୍କୁଲରେ ଗ୍ରାମବାସୀଙ୍କ ଦ୍ୱାରା ରଖାଯାଇଥିବା ଏକ ପୁରୁଣା ବିଦୁ୍ୟତ ଟ୍ରାନସଫରମରକୁ ବିକି ହରଡଘଣାରେ ପଡିଛନ୍ତି ପ୍ରଧାନ ଶିକ୍ଷକ । ସୁଚନାରୁ ଜଣାଯାଇଛି ଯେ ଗତ କିଛିବର୍ଷ ପୁର୍ବେ ଗାଁରେ ବସିଥିବା ଟ୍ରାନ୍ସଫରମରଟି ଏକ ଟ୍ରାନସଫରମର ପୋଡିଯିବା ପରେ ଗାଁ ଲୋକେ ବିଦୁ୍ୟତ ବିଭାଗ ସହଯୋଗରେ ଏକ ନୁତନ ଟ୍ରାନସଫରମର ଲଗାଇଥିଲେ । ପୁରୁଣା ଟ୍ରାନସଫରମରଟିକୁ ସ୍କୁଲ ପରିସରରେ ରଖିଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଗୟାଧର ସେଠୀ ଗତ ଶୁକ୍ରବାର ରାତିରେ ଟ୍ରାନସଫରମରଟିକୁ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଜଣେ କବାଡିଆକୁ ଡାକି ବିକି ଦେଲେ । ଶନିବାର ଦିନ ଏକଥା ଜଣାପଡିବାପରେ ଏହାକୁ ନେଇ ଗାଁରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିଦ୍ୟାଳୟ କମିଟିର ଚେୟାରମ୍ୟାନ ଏନେଇ ସୋସୋ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଘଟଣା ବିବାଦୀୟ ମୋଡ ନେଉଥିବା ଜାଣି ପ୍ରଧାନ ଶିକ୍ଷକ ଗତକାଲି ରାତିରେ ସେହି କବାଡିଆକୁ ଟ୍ରାନସଫରମରଟିକୁ ଫେରାଇ ଦେବାକୁ କହିଥିଲେ । କବାଡିଆ ଜଣକ ରାତିରେ ମଟରସାଇକେଲରେ ବାନ୍ଧି ଟ୍ରାନସଫରମରଟିକୁ ଆଣି ସ୍କୁଲ ପରିସରରେ ରଖିବାକୁ ଯାଉଥିବାବେଳେ ଗାଁର କିଛି ଯୁବକ ତାକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଟରସାଇକେଲ ସହ କବାଡିଆ ଜଣକୁ ଥାନାକୁ ନେଇ ଅଟକ ରଖିଥିଲେ । ପରେ ଏନେଇ ଗାଁରେ ବୈଠକ ବସି ପ୍ରଧାନଶିକ୍ଷକ ଜଣକ ଉକ୍ତ ଭୁଲପାଇଁ କ୍ଷମା ପ୍ରାର୍ଥନା ମାଗିବାପରେ ବିବାଦର ସମାଧାନ ହୋଇଥିବା ନେଇ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ପୁଲିସ ପରେ କବାଡିଆକୁ ଛାଡି ଦେଇଥିବା ଜଣାଯାଇଛି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଗୟାଧର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୁରୁଣା ଟ୍ରାନସଫରମରଟି ସ୍କୁଲ ପରିସରରେ ଥିବାରୁ ଛୁଆଙ୍କ ଖେଳକୁଦ କରିବାରେ ବ୍ୟାଘାତ ଘଟିଥିଲେ । କିନ୍ତୁ ଗାଁ ଲୋକ କିମ୍ବା କମଟି ସଦସ୍ୟଙ୍କୁ ନପଚାରି ବିକିବା ମୋର ଭୁଲ ହୋଇଥିଲା ବୋଲି କହିଛନ୍ତି ।


