ଟ୍ରେଡ୍ ଲାଇସେନ୍ସ ଧାର୍ଯ୍ୟ ମୂଲ୍ୟ ନେଇ ବ୍ୟବସାୟୀ ସଂଗଠନ ସହ ଡିଆରିଡିଏ ପିଡିଙ୍କ ଆଲୋଚନା
ଛତ୍ରପୁର : ଛତ୍ରପୁର ଏନ୍ଏସିର ଟ୍ରେଡ୍ ଲାଇସେନ୍ସ୍ ଧାର୍ଯ୍ୟ ମୂଲ୍ୟକୁ ନେଇ ସୋମବାର ଏନ୍ଏସି କାର୍ଯ୍ୟାଳୟ ପରିସରରେ ଏନ୍ଏସିର ପ୍ରଶାସନ ଅଧିକାରୀ ତଥା ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ ସହରର ସମସ୍ତ ବ୍ୟବସାୟୀ ସଂଗଠନର କର୍ମକତ୍ତା ଉପସ୍ଥିତ ରହି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଟ୍ରେଡ୍ ଲାଇସେନ୍ସ ଧାର୍ଯ୍ୟ ମୂଲ୍ୟକୁ ବିଭିନ୍ନ ସାମଗ୍ରୀ ବ୍ୟବସାୟୀକୁ ନେଇ ମୂଲ୍ୟ ନିର୍ଧାରଣ ହୋଇଛି । ଏହି ବର୍ଗର ବ୍ୟବସାୟୀଙ୍କ ମଧ୍ୟରୁ କ୍ଷୁଦ୍ର ଓ ମଧ୍ୟମ ଏବଂ ବୃହତ୍ତ ବ୍ୟବସାୟୀଙ୍କ ମାସିକ ତଥା ବାର୍ଷିକ କାରବାରର ଆକଳନ କରାଯାଇ ଟ୍ରେଡ୍ ଲାଇସେନ୍ସ ମୂଲ୍ୟ ଧାର୍ଯ୍ୟକୁ କୋହଳ କରାଯିବ ବୋଲି ଡିଆରଡିଏ ପିଡି କହିଛନ୍ତି । ଏଥିପାଇଁ ବ୍ୟବସାୟୀଙ୍କ ସମସ୍ତ ବ୍ୟବସାୟୀ କାଗଜ ପତ୍ର ଯାଞ୍ଚ ମଧ୍ୟ କରାଯିବ । ଏଭଳି ନିଷ୍ପତ୍ତିକୁ ବ୍ୟବସାୟୀ ସଂଗଠନମାନେ ସହମତି ଜଣାଇଥିଲେ । ଏଥିସହ ବ୍ୟବସାୟୀଙ୍କୁ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଡିଆରଡିଏ ପିଡି କଡା ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ଆଲୋଚନା ମଧ୍ୟରେ ନେତାଜୀ ଛକ ଠାରେ ଥିବା ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ସେଠାରୁ ସ୍ଥାନାନ୍ତର କରି ଲୋୟର ବସଷ୍ଟାଣ୍ଡକୁ ଅଣାଯିବ । ଛତ୍ରପୁର ସହରର ବିଭିନ୍ନ ଜନଗହଳି ଅଞ୍ଚଳରେ ସିସିଟିଭି ଲଗାଯିବ । ଗୁରୁବାର ପାରମ୍ପାରିକ ହାଟର ବିକାଶ କରିବା ପାଇଁ ପଦକ୍ଷେପ ନିଆଯିବ । ରାମନଗର ଠାରେ ଆଉ ଏକ ଖୋଲା ବ୍ୟାୟମ ସ୍ଥାପନ କରାଯିବ । ଟ୍ରାଫିକ ସମସ୍ୟା ନେଇ ପରିବା ଓ ମାଛ ବଜାର ସମ୍ମୁଖ ରାସ୍ତା କଡରେ ବସୁଥିବା ବ୍ୟବସାୟୀଙ୍କୁ ମାର୍କେଟ ଭିତରେ ହିଁ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯିବ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା । ଏହି ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ବଡ ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ ସେନାପତି, ମା’ବ୍ୟାଘ୍ରଦେବୀ ବ୍ୟବୟାସୀ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ମା’ ରାମାୟାଣାମ୍ମା ବ୍ୟବସାୟୀ ସଂଘର ସଭାପତି ସୟଦ ମୁକ୍ତାର, ଶିବ ପ୍ରସାଦ ସେନାପତି, ଡିଷ୍ଟ୍ରୁବ୍ୟୁଟର ସଂଘର ସଂପାଦକ ନିରୋଦ ଚନ୍ଦ୍ର ନାୟକ, ବିଭୂତି ଭୂଷଣ ପାଢୀ, ପଙ୍କଜ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯେ, ଛତ୍ରପୁର ଏନ୍ଏସି ପକ୍ଷରୁ ଟ୍ରେଡ୍ ଲାଇସେନ୍ସ ବାବଦରେ ଧାର୍ଯ୍ୟ ମୂଲ୍ୟକୁ ସହରର ସମସ୍ତ ବ୍ୟବସାୟୀ ସଂଗଠନମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସଂକ୍ରାନ୍ତରେ ଗତ ୧ ତାରିଖରେ ଧାର୍ଯ୍ୟ ମୂଲ୍ୟକୁ ହ୍ରାସ ତଥା ପୁନଃତର୍ଜମା କରିବା ନେଇ ଗଞ୍ଜାମ ଜିଲ୍ଲାପାଳ ଏବଂ ଡିଆରଡିଏ ପିଡିଙ୍କୁ ଭେଟି ପୃଥକ୍ ପଋତଖ୍ ଦାବି ପତ୍ର ପ୍ରଦାନ କରିବା ସହ ବ୍ୟବସାୟୀ ମହାସଂଘର ସଦସ୍ୟମାନେ ଆଲୋଚନା କରିଥିଲେ । ଏହା ଉପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ବ୍ୟବସାୟୀ ସଂଘକୁ ପ୍ରତିଶ୍ରୁତି ଦେଇଥିଲେ ।


