ଟ୍ରେନ୍ର ଭ୍ରମ ସୃଷ୍ଟି କରୁଥିବା ସ୍କୁଲ
ରେଲ୍ୱେ ଷ୍ଟେଶନ ତ ଦେଖିଥିବେ ନିଶ୍ଚିତ । କିନ୍ତୁ ଏମିତି ଏକ ସ୍କୁଲ ରହିଛି ଯାହା ଦେଖିବାକୁ ଅବିକଳ ରେଲ୍ୱେ ଷ୍ଟେଶନ ପରି । ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ରାଜସ୍ଥାନର ଅଲୱର ସହରରେ ଏମିତି ସ୍କୁଲ ରହିଛି । ସ୍କୁଲର ନାମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେଲ୍ୱେ ଷ୍ଟେଶନ । ଖାଲି ଏତିକି ନୁହେଁ, ସ୍କୁଲର ପାଚେରିକୁ ଟ୍ରେନ୍ ରଙ୍ଗ ପରି ନୀଳ ରଙ୍ଗରେ ମଧ୍ୟ ପେଣ୍ଟିଂ କରାଯାଇଛି । ସ୍କୁଲର ଅନ୍ୟ ସାମଗ୍ରୀ ଟ୍ରେନ୍ ରଙ୍ଗ ପରି ହୋଇଛି । ଛାତ୍ରଛାତ୍ରୀ ଯେତେବେଳେ ଦ୍ୱାରମୁହଁରେ ଠିଆ ହୋଇଥାନ୍ତି ଦେଖିଲେ ଲାଗେ ସତେ ଯେପରି ଟ୍ରେନ୍ରେ ଓହଳିକି ଯାତ୍ରା କରୁଛନ୍ତି । ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଏଠାରେ ଖୁବ୍ ମଜା ଉଠାଇଥାନ୍ତି । ସ୍କୁଲର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଗୁପ୍ତା କୁହନ୍ତି, ସ୍କୁଲର ନାମ ପ୍ରଥମେ ରେଲ୍ୱେ ଷ୍ଟେଶନ ରଖାଯାଇଥିଲା । ପରେ ସ୍କୁଲଟିକୁ ଟ୍ରେନ୍ ରୂପ ଦେବାକୁ ଭାବିଲେ । ସ୍କୁଲର ପାରିପାଶ୍ୱର୍କୁ ପୂରା ଷ୍ଟେଶନ ପରି କରିବାକୁ ଏବେ ବି ପ୍ରୟାସ ଜାରି ରଖିଥିବା କହିଛନ୍ତି । ସ୍କୁଲକୁ ଏମିତି କାହିଁକି ରୂପ ଦିଆଯାଇଛି ବୋଲି ପଚରାଯିବାରୁ ସେ କୁହନ୍ତି, ସ୍କୁଲକୁ କମ୍ ପିଲା ପଢ଼ିବାକୁ ଆସୁଥିଲେ । ପିଲାସଂଖ୍ୟା ବଢ଼ାଇବା ପାଇଁ ସେ ଏପରି ଉପାୟ ଆପଣାଇଛନ୍ତି । ଏହା ପୂର୍ବରୁ ସ୍କୁଲ ସହରର ରେଲ୍ୱେ ଷ୍ଟେଶନ ନିକଟରେ ଥିଲା । ପରେ ସ୍କୁଲକୁ ଏଠାକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ନାମ ପରିବର୍ତ୍ତନ ହୋଇନାହିଁ ।