ଠାକୁରାଣୀ ଯାତ୍ରା ନିମନ୍ତେ ଜକର ଗାଁ ଉତ୍ସବ ମୁଖର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ମାଁ କାଳୁଆ ଠାକୁରାଣୀ ଙ୍କ ଯାତ୍ରା ନିମନ୍ତେ ଦିଗପହଣ୍ଡି ବ୍ଲକ ଜକର ଗାଁ ଉତ୍ସବ ମୁଖର ହୋଇଉଠିଛି। ଦୂର ଦୁରାନ୍ତରେ ରହୁଥିବା ଗ୍ରାମବାସୀ ସପରିବାର ସହ ଗାଁ ରେ ପହଞ୍ଚିଛନ୍ତି। ଗାଁ ର ଇଷ୍ଟ ଦେବୀ ମାଁ କାଳୁଆ ଠାକୁରାଣୀ ଙ୍କୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯିବା ସହ ଅସ୍ଥାୟୀ ଯାତ୍ରା ପୀଠ କୁ ନିମନ୍ତ୍ରଣ କରାଯାଇଥିଲା। ବିଧି ମୁତାବକ ପୂଜାର୍ଚ୍ଚନା ଭୋଗ ରାଗ କରାଯିବା ପରେ ମାଁ ଙ୍କ ମସ୍ତକରୁ ଫୁଲମଣ୍ଡା ଖସିଥିଲା। ପରେ ଫୁଲମଣ୍ଡା ତାଟ ସହ ମାଁ ଙ୍କ ଘଟକୁ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯିବା ପରେ ମାଁ ବାଦ୍ୟର ତାଳେ ତାଳେ ଝୁଲି ଝୁଲି ଅସ୍ଥାୟୀ ଯାତ୍ରା ପୀଠ କୁ ପ୍ରବେଶ କରିଥିଲେ। ସେଠାରେ ହୋମ ଯଜ୍ଞ କରାଯାଇ ମୁଖ୍ୟ ଘଟକୁ ସ୍ଥାପନ କରାଯାଇଥିଲା । ଏହି ପାରମ୍ପରିକ ଯାତ୍ରା ମହୋତ୍ସବ ଆସନ୍ତା ରବିବାର ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି। ଯାତ୍ରା ପରିଚାଳନା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ଏକ ୪୦ ଜଣିଆ ପରିଚାଳନା କମିଟି ଗଠନ କରଯାଇଛି । କମିଟିର ସଭାପତି ରୂପେ ପିତାମ୍ବର ପ୍ରଧାନ, ସମ୍ପାଦକ ରୂପେ ବିପ୍ଳବ ପ୍ରଧାନ ଓ କୋଷାଧ୍ୟକ୍ଷ ରୂପେ ବିଘ୍ନେଶ୍ୱର ପ୍ରଧାନ ଙ୍କୁ ମନୋନୀତ କରାଯାଇଛି। ଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ, ପରିମଳ ଓ ନିରନ୍ତର ବିଦ୍ୟୁତ ବ୍ୟବସ୍ଥା ଇତ୍ୟାଦିର ଉତ୍ତମ ପରିଚାଳନା କରିବା ପାଇଁ ପଞ୍ଚାୟତ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି। ପ୍ରତିଦିନ ବିରାଟ ପଟୁଆରରେ ମାଁ’ଙ୍କ ଘଟ କୁ ଗ୍ରାମ ପରିକ୍ରମା କରାଯିବା ସହ ଯାତ୍ରା ପୀଠ ରେ ପୌରାଣିକ ନାଟକ ସାଙ୍ଗକୁ ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ। ଯାତ୍ରାରେ ବିପୁଳ ଜନ ସମାଗମକୁ ଦୃଷ୍ଟିରେ କେ. ନୂଆଗାଁ ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।