ଠିକାସଂସ୍ଥା ସୁପରଭାଇଜରଙ୍କୁ ନୃଶଂସ ହତ୍ୟା : ଥାନାରେ ଆତ୍ମ ସମର୍ପଣ କଲା ହତ୍ୟାକାରୀ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଟାଉନ ଥାନା ନିକଟରେ ଚାଲିଥିବା ରାସ୍ତା ନବୀକରଣ ଓ ଡ୍ରେନ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର କରି ଠିକା ସଂସ୍ଥା ସୁପରଭାଇଜରଙ୍କୁ ଜନୈକ ବ୍ୟକ୍ତି ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣାକୁ ନେଇ ସମଗ୍ର ସହରରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ମୃତ ସୁପରଭାଇଜର ଜଣକ ହେଲେ ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତ କୁଡ଼ିଆ ଗ୍ରାମର ରାଜେଶ ପଣ୍ଡା । ସେ ଠିକାଦାର ସଂଜୀବ କୁମାର ନାୟକଙ୍କ ନିକଟରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ । ଦିନରେ ମାର୍କେଟ ଭିଡ଼ ରହିବା ଯୋଗୁଁ ଗୋଳାପୋଖରୀ ଠାରୁ ବାଲିଘାଟ ପର୍ଯ୍ୟନ୍ତ ରାସ୍ତା ନବୀକରଣ କାର୍ଯ୍ୟ ରାତିରେ ହେଉଥିଲା । ରାତି ପ୍ରାୟ ସାଢ଼େ ୧୨ ଟା ବେଳେ ଟାଉନଥାନ ନିକଟ ପତଞ୍ଜଳି ମେଡିସିନ ଷ୍ଟୋରର ମାଲିକ ମାଧବ ପାଢୀ କାର୍ଯ୍ୟସ୍ଥଳରେ ପହଞ୍ଚି ସୁପରଭାଇଜର ରାଜେଶ ସହିତ ନାଳକାମକୁ ନେଇ ବଚସା କରିଥିଲେ । ତାଙ୍କ ଦୋକାନ ସାଇଡ ଅଧିକ ଭଙ୍ଗାଯାଇଥିବା ଅଭିଯୋଗ କରି ମରାମତି ବାବଦକୁ ଅର୍ଥ ମାଗିଥିଲେ । ତେବେ ଏହି ଅଭିଯୋଗ ତାଙ୍କୁ ନକରି ଠିକାଦାରକୁ କହିବା ପାଇଁ ମାଧବଙ୍କୁ ରାଜେଶ ପରାମର୍ଶ ଦେଇଥିଲେ । ମାତ୍ର ଏଥିରେ ଉତକ୍ଷିପ୍ତ ହୋଇ ମାଧବ ସେଠାରେ ପଢ଼ିଥିବା ଏକ ଲୁହା ଧୁର୍ମୁଷରେ ରାଜେଶଙ୍କ ମୁଣ୍ଡରେ ଅତର୍କିତ ପ୍ରହାର କରିଥିଲେ । ଫଳରେ ରାଜେଶ ଗୁରୁତର ଆହତ ଅବସ୍ଥାରେ ସେହିଠାରେ ଟଳିପଡିଥିଲେ । ପରେ ମାଧବ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଠିକାଦାର ସଞ୍ଜୀବ କୁମାର ନାୟକ ଓ ଅନ୍ୟ ଶ୍ରମିକ ତଥା କର୍ମଚାରୀମାନେ ରାଜେଶକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଟାଉନଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାକାଣ୍ଡ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ସକାଳେ ସାଇଣ୍ଟିଫିକ ଟିମ ସହ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତ ମାଧବ ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଥିଲା । ତେବେ ଏହି ଘଟଣାକୁ ନେଇ କୁଡ଼ିଆ ଗ୍ରାମବାସୀମାନେ ଆଜି ଥାନା ଘେରାଓ କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ରାଜେଶଙ୍କ ମୃତଶରୀରକୁ ତାଙ୍କ ପରିବାରକୁ ପୁଲିସ ହସ୍ତାନ୍ତର କରିଛି ।