ଠେଙ୍ଗା ମାଡରେ ଯୁବକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବୁଧବାର ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ସାମାନ୍ୟ କଥାକୁ କେନ୍ଦ୍ର କରି ଗ୍ରାମର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗ୍ରାମର ଡାକ ଜେନାଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସେହି ଗ୍ରାମର ସନ୍ତୋଷ ସାହୁ । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ବାଦିଆମ୍ବଗାଁର ଡାକ ଜେନାଙ୍କ ସହ ସେହି ଗ୍ରାମର କୃଷ୍ଣ ସାହୁଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ଘଟିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଡାକ ଏକ ଠେଙ୍ଗାରେ କୃଷ୍ଣଙ୍କ ପୁଅ ସନ୍ତୋଷଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସନ୍ତୋଷ ଗୁରୁତର ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ଘଟଣା ସ୍ଥଳରେ ପଡି ଯାଇଥିଲେ । ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣା ନେଇ କୃଷ୍ଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନମ୍ବର ୪୯୪/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଗୁରୁବାର ଆକ୍ରମଣକାରୀ ଡାକଙ୍କୁ ଗିରଫ କରି ହତ୍ୟା ଉଦ୍ୟମ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ।